ଫୁଲବାଣୀ, ୨୯ ଅକ୍ଟୋବର : କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ୍ ପୋସ୍କୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଆଜି ଏକ ଚାଞ୍ଚଲ୍ୟକର ରାୟ ପ୍ରକାଶ କରିଛନ୍ତି। ୧୪ ବର୍ଷିଆ ନାବାଳିକାଙ୍କ ଉପରେ ଦୁଷ୍କର୍ମ ଏବଂ ଡକାୟତି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୨୬,୦୦୦ ଟଙ୍କା ଜରିମାନା ବିଧାନ କରାଯାଇଛି। ଜରିମାନା ଅନାଦେୟ ହେଲେ ଆଉ ଅଧିକ ୫ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି।
ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ:
- ଅଶୋକ ମୁଖି (୨୪ ବର୍ଷ), ପିତା-ବୁଡୁମୁଖି, ଗ୍ରାମ-ମୁସେଲିପାଙ୍ଗା, ଥାନା-ଗୋଛାପଡା।
- ସୁଶାନ୍ତ ନାୟକ (୨୯ ବର୍ଷ), ପିତା-ପିତବାସ ନାୟକ, ଗ୍ରାମ-ସିମନବାଡ଼ି, ଥାନା-ଦାରିଙ୍ଗିବାଡ଼ି।
- କୃପାକର ମୁଖି (୪୭ ବର୍ଷ), ପିତା-ମଧୁସୂଦନ ମୁଖି, ଗ୍ରାମ-ସିମନବାଡ଼ି, ଥାନା-ଦାରିଙ୍ଗିବାଡ଼ି।
- ଜେରହ ନାୟକ (୩୩ ବର୍ଷ), ପିତା-ଦାରାସିଙ୍ଗ ନାୟକ, ଗ୍ରାମ-ସିମନବାଡ଼ି, ଥାନା-ଦାରିଙ୍ଗିବାଡ଼ି।
- ଯୋଶେଫ୍ ରୁପାମାଝି (୨୫ ବର୍ଷ), ପିତା-ଭୀମ ରୁପାମାଝି, ଜିଲ୍ଲା-କନ୍ଧମାଳ।
ରାୟ ୧୮ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଏବଂ ଟିଆଇ ପରେଡ୍ ଆଧାରରେ ପ୍ରଦାନ କରାଯାଇଛି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ୍ ପୋସ୍କୋ କୋର୍ଟର ସ୍ବତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର (ପି.ପି.) ବନମାଳୀ ବେହେରା ମାମଲା ପରିଚାଳନା କରିଥିଲେ।
ସୂଚନା ଅନୁଯାୟୀ, ଗତ ୨୪ ଏପ୍ରିଲ ୨୦୨୪ ରାତି ୯ଟା ୩୦ ମିନିଟ୍ ସମୟରେ ଅଭିଯୁକ୍ତମାନେ ମୁହଁରେ ମାକ୍ସ ପିନ୍ଧି ପିଡ଼ିତାଙ୍କ ଘରେ ପଶି ଖାଇବା ମାଗିଥିଲେ। ପିସ୍ତଲ, କାତି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ଭୟ ଦେଖାଇ ୫୦,୦୦୦ ଟଙ୍କା, ସୁନା ମାଳୀ, କାନଫୁଲ ଓ ତିନୋଟି ମୋବାଇଲ୍ ଲୁଟ୍ କରିଥିଲେ। ନିଜକୁ ନକ୍ସଲ୍ ବୋଲି ପରିଚୟ ଦେଇ ପିଡ଼ିତାଙ୍କୁ ‘ଆମ ମାଡାମଙ୍କୁ ଭାତ ଖାଇବାକୁ ନେଇଦେବୁ’ ବୋଲି ଟାଣି ନେଇ ଘରଠାରୁ ୫୦ ମିଟର ଦୂରରେ ଥିବା ଏକ ପଡ଼ିଆରେ ଦୁଷ୍କର୍ମ କରିଥିଲେ। ପରେ ‘ଆସନ୍ତାକାଲି ଆସି ନେଇଯିବୁ, ନ ଆସିଲେ ତୋତେ ଓ ତୋ ଘରଲୋକଙ୍କୁ ମାରିଦେବୁ’ ବୋଲି ଧମକ ଦେଇ ଚାଲିଯାଇଥିଲେ। ପିଡ଼ିତା ଘରଲୋକଙ୍କୁ ଘଟଣା କହିବା ପରେ ତାଙ୍କ ପିତା ପରଦିନ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ କେସ୍ ନମ୍ବର ୧୦୭/୩୦.୪.୨୦୨୪ ରେ ରେଜିଷ୍ଟର ହୋଇଥିଲା। ଏସ୍ଆଇ ଦୀପକ ରାଉତ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟକୁ ହାଜର କରାଇଥିଲେ।
ଏହି ରାୟ ସହିତ ବିଚାରପତି ପିଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୬,୦୦,୦୦୦ ଟଙ୍କା (ଛଅ ଲକ୍ଷ ଟଙ୍କା) ପ୍ରଦାନ କରିବାକୁ ଜିଲ୍ଲା ଲିଗାଲ୍ ଏଡ୍ ସର୍ଭିସେସ୍ ଅଥରିଟିକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣା କନ୍ଧମାଳ ଜିଲ୍ଲାରେ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ନୂଆ ଚର୍ଚ୍ଚା ଆରମ୍ଭ କରିଛି।