SPECIAL NEWS - ଅକ୍ଟୋବର ନାଁ ଶୁଣିଲେ ଆତଙ୍କିତ ହୁଏ ମନ, ଛାତିରେ ପଶେ ଛନକା । ଦିନ ସିନା ଯାଇଛି କିନ୍ତୁ ଏବେବି ସେ ଚିହ୍ନ ଲିଭିନି, ଦରଜ ରହିଛି । ଆଉ ସେ କାଳ ରାତିର କରୁଣ କାହାଣୀ ଏବେ ବି ମନେ ପଡିଗଲେ, ଆଖି ସାମ୍ନାରେ ନାଚିଗଲେ ଥରିଉଠେ ଛାତି, ଟାଙ୍କୁରି ଉଠେ ଲୋମ । ଆଜକୁ ଠିକ୍ ୨୬ ବର୍ଷ ତଳେ ଏବ ବଡ଼ ବିପଦକୁ ସାମ୍ନା କରିଥିଲା ଓଡ଼ିଶା । ମୃତ୍ୟୁ ଭଳି ମାଡି ଆସିଥିବା ମହାବାତ୍ୟା ସହ ମୁହାଁମୁହିଁ ହୋଇଥିଲେ ଓଡ଼ିଶାବାସୀ ।୨୯ ଅକ୍ଟୋବର ୧୯୯୯ । ଠିକ ୨୬ ବର୍ଷ ତଳେ ଆଜିର ଦିନରେ ଆସିଥିଲା ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ବାତ୍ୟା । ଅବିଶ୍ରାନ୍ତ ବର୍ଷା, ସୁ ସୁ ପବନ । ହଠାତ ଆକାଶରେ ଘୋଟି ଆସିଥିଲା ଆତଙ୍କର ବାଦଲ । ଦିନକ ପୂର୍ବରୁ ସ୍ୱାଭାବିକ ଥିଲା ପାଗ । କିନ୍ତୁ ଅଚାନକ ବଦଳିଗଲା ସବୁକିଛି । ମେଘ ମାଡି ଆସିଲା, ପବନ ବୋହିବାକୁ ଲାଗିଲା । ମଝି ସମୁଦ୍ରରୁ ଗର୍ଜନ ଛାଡି ସ୍ଥଳ ଭାଗକୁ ମାଡି ଆସିଥିବା ମହାବାତ୍ୟା ସବୁକିଛି ଛାରଖାର କରିଦେଲା । ବଡ ବଡ ଗଛ ଭାଙ୍ଗି ପକାଇଲା, ଘରଦ୍ୱାର ସବୁ ଭସାଇ ନେଲା । ୨ ମହଲା ଉଚ୍ଚରେ ଉଠିଥିବା ଜୁଆରରେ ଜନଜୀବନ ଲୀନ ହେଉଥିଲା । ଆଉ ମହାବାତ୍ୟା ତାର ମହାତାଣ୍ଡବ ରଚି ଚାଲିଥିଲା ।
ଓଡ଼ିଶା ଉପକୂଳର ୪ ଜିଲ୍ଲାରେ ଧ୍ୱଂସର ତାଣ୍ଡବଲୀଳା ରଚିଥିଲା ସୁପର ସାଇକ୍ଲୋନ । ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ବାଲେଶ୍ୱରରେ ବିଧ୍ୱଂସଲୀଳା ରଚିଥିଲେ ହେଁ ଅଧିକ କ୍ଷୟକ୍ଷତି ହୋଇଥିଲା ଜଗତସିଂହପୁର ଜିଲ୍ଲା ଏରସମାରେ । ବାତ୍ୟା ପାଟିରେ ଅନେକ ଜୀବନ ଯାଇଥିବା ବେଳେ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ମହାବାତ୍ୟାରେ ପ୍ରାୟ ୩ ଲକ୍ଷ ଘର ଭାଙ୍ଗିଯାଇଥିଲା, ଅନେକ ଗାଁ ଛାରଖାର ହୋଇଥିଲା । ୨ ଲକ୍ଷରୁ ଅଧିକ ପଶୁ ପକ୍ଷୀଙ୍କ ମୃତ୍ୟୁ ହୋଇଥିଲା, ୨୫ ଲକ୍ଷ ଲୋକ ସର୍ବସ୍ୱାନ୍ତ ହୋଇଥିଲେ ଆଉ ୧୦ ହଜାରରୁ ଅଧିକ ଜୀବନ ଯାଇଥିଲା ।
ଖାଲି ବାତ୍ୟା ଯେ ବ୍ୟଥା ଦେଇଥିବା ତାହା ନୁହେଁ, ବାତ୍ୟାର ପ୍ରକୋପ ଟିକେ କମିବା ପରେ ବଢିଥିଲା ଜଳ ଯନ୍ତ୍ରଣା । ବଢି ପାଣିରୁ ବଞ୍ଚିବାକୁ କିଏ ଜୀବନ ନେଇ ଧାଇଁଥିଲା ତ କିଏ ପିଲାଛୁଆ ନେଇ ଉଚ୍ଚା ସ୍ଥାନକୁ ଦୌଡିଥିଲା । ହେଲେ ପାଣିର ପ୍ରଖର ସୁଅରୁ ବର୍ତ୍ତିବା ଏତେ ସହଜ ନଥିଲା । ବନ୍ୟାରେ ଯେଉଁମାନେ ଭାସି ଯାଇଥିଲେ ସେମାନଙ୍କ ପତା ମିଳି ନଥିଲା । କିନ୍ତୁ ଯେଉଁମାନେ କ୍ଷଣିକରେ ବଞ୍ଚି ଯାଇଥିଲେ ସେମାନେ ଦେଖିଥିଲେ ମହାବାତ୍ୟାର ମହାରୂପକୁ । ସେମାନେ ଦେଖିଥିଲେ ଗୋଟେ ଗୋଟେ ଗାଁ ଶ୍ମଶାନ ହୋଇଯିବାର, ବନ୍ୟା ପାଣିରେ କୁଢ କୁଢର ଶବ ଭାସି ଯାଉଥିବାର । ଆଉ ୨୬ ବର୍ଷ ପରେ ମହାପ୍ରଳୟର ସେ ମୁହୂର୍ତ୍ତ ଆଜି ବି ମନରୁ ଲିଭିନି ।
.jpg)