Live Tv

Live Tv

ବ୍ରହ୍ମପୁରରୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର ହେବେ ପିଣ୍ଟୁ ଦାସ

ବ୍ରହ୍ମପୁର, ୨୯ ଅକ୍ଟୋବର: ପୀତବାସ ପଣ୍ଡା ହତ୍ୟାକାଣ୍ଡର ମୁଖ୍ୟ ଆଭିଯୁକ୍ତ ତଥା ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କୁ ବ୍ରହ୍ମପୁର ସର୍କଲ ଜେଲ୍‌ରୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର କରାଯିବ। ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏସ୍‌ଡିଜେଏମ୍‌ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

ବ୍ରହ୍ମପୁର ଜେଲ୍‌ରେ ପିଣ୍ଟୁ ଦାସଙ୍କ ବିରୋଧୀ ଅପରାଧୀମାନେ ରହୁଥିବାରୁ ତାଙ୍କ ଜୀବନକୁ ବିପଦ ରହିଛି। ବିଶେଷକରି ୨୦୧୩ ମସିହାରେ ଘଟିଥିବା ଶାନ୍ତି ମିଶ୍ର ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ପ୍ରାପ୍ତ ସତୀଶ ମିଶ୍ର ଓରଫ ମାଉଜ ସହିତ ଅନ୍ୟ ୬ ଜଣ ଦୋଷୀ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି। ଏହି କାରଣରୁ ଜେଲ୍‌ ପ୍ରଶାସନ ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ। ସରକାରୀ ଓକିଲ କୋର୍ଟଙ୍କୁ ଏହି ସୁରକ୍ଷା ଉଦ୍‌ବେଗ ବିଷୟରେ ଅବଗତ କରାଇଥିଲେ।

ପିଣ୍ଟୁ ଦାସଙ୍କ ପତ୍ନୀ ଆଶା ଦାସ ସ୍ଥାନାନ୍ତରକୁ ବିରୋଧ କରି କୋର୍ଟରେ ପିଟିସନ ଦାଖଲ କରିଥିଲେ। କିନ୍ତୁ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ଭିଡିଓ କନ୍‌ଫରେନ୍ସିଂ (ଭିସି) ମାଧ୍ୟମରେ କୋର୍ଟ ହାଜର ହେବାରେ କୌଣସି ଅସୁବିଧା ନଥିବା ମତ ଦେଇ ସ୍ଥାନାନ୍ତରକୁ ଅନୁମତି ଦେଇଛନ୍ତି।

ପୀତବାସ ପଣ୍ଡା ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୧୪ ଜଣ ଗିରଫ ହୋଇଛନ୍ତି। ପିଣ୍ଟୁ ଦାସଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର କରାଯିବ ବୋଲି ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।