ନୂଆଦିଲ୍ଲୀ : ଜାରି ରହିବ ସଂଘର୍ଷ। ଜନ୍ତର ମନ୍ତରକୁ ଫେରିଲା CJP। ପୁଣି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ପରୀକ୍ଷା ସଂସ୍କାର ଦାବିରେ କମ୍ପିଲା ଦିଲ୍ଲୀ। ଚଲୋ ସଂସଦ ଆନ୍ଦୋଳନ ପରେ ଦିଲ୍ଲୀ ପୋଲିସ ମଞ୍ଚ ଓ ଟେଣ୍ଟ ହଟାଇ ଦେଇଥିଲା। ହେଲେ ଆଜି ପୁଣି ଥରେ ଆନ୍ଦୋଳନ ପାଇଁ ଜନ୍ତର ମନ୍ତର ଫେରିଛନ୍ତି ଛାତ୍ରଛାତ୍ରୀ। ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ ଧାରଣାସ୍ଥଳରେ ଉପସ୍ଥିତ ରହି ସମଗ୍ର ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ଦିପକେ ସ୍ପଷ୍ଟ କରିଛନ୍ତି। ସେପଟେ ଗତକାଲି ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କୁ କ୍ଷମା ମାଗିଛନ୍ତି ଦିପକେ। ଆନ୍ଦୋଳନକାରୀଙ୍କ ସୁରକ୍ଷା ପାଇଁ ସେ ଆହୁରି ଭଲ ବ୍ୟବସ୍ଥା ହୋଇପାରିଥାନ୍ତା।
ହେଲେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେଇପାରିନଥିବାରୁ ସେ ବ୍ୟକ୍ତିଗତ ଭାବେ ଦୁଃଖ ପ୍ରକାଶ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଥିଲେ ବୋଲି ଅଭିଜିତ ଅଭିଯୋଗ କରିବା ସହ ଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ ବୋଲି ଦିପକେ ସ୍ପଷ୍ଟ କରିଛନ୍ତି। ଚଲୋ ସଂସଦ ଆନ୍ଦୋଳନ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଛାତ୍ରଛାତ୍ରୀ ଚିକିତ୍ସିତ ହେଉଥିବା ରାମ ମନୋହର ଲୋହିଆ ଡାକ୍ତରଖାନାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି।
ଦିଲ୍ଲୀ ହାଇକୋର୍ଟରୁ ସୋନମ ୱାଙ୍ଗଚୁକଙ୍କୁ ବଡ ଆଶ୍ୱସ୍ତି। ଉନ୍ନତ ଚିକିତ୍ସା ପାଇଁ ସମାଜସେବୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ଶିକ୍ଷା ବ୍ୟବସ୍ଥାର ଅନିୟମିତତାକୁ ନେଇ ୱାଙ୍ଗଚୁକ ପ୍ରାୟ ୨୦ ଦିନ ଧରି ଜନ୍ତର ମନ୍ତରରେ ଅନଶନରେ ବସିଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତ ଥିବା ଦର୍ଶାଇ ଦିଲ୍ଲୀ ପୋଲିସ ତାଙ୍କୁ ଜୁଲାଇ ୧୮ରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ସୋନମଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରୁ ସ୍ଥାନାନ୍ତରିତ କରିବାକୁ ତାଙ୍କ ପତ୍ନୀ ଗୀତାଞ୍ଜଳି ୱାଙ୍ଗମୋ ଅଦାଲତରେ ଆବେଦନ କରିଥିଲେ।
ମାମଲାର ଶୁଣାଣି ବେଳେ ସରକାର ସୋନମଙ୍କ ହସ୍ପିଟାଲ ସ୍ଥାନାନ୍ତରକୁ ବିରୋଧ କରିନଥିଲେ। ମେଦାନ୍ତ ସ୍ଥାନାନ୍ତର ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ଗୀତାଞ୍ଜଳି ଆଙ୍ଗମୋ ଦିଲ୍ଲୀ ହାଇକୋର୍ଟଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ପରେ ୱାଙ୍ଗଚୁକଙ୍କୁ ଖୁବ୍ ଶୀଘ୍ର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ସେଠାରେ ଏକ ସ୍ୱତନ୍ତ୍ର ଟିମ ତତ୍ତ୍ୱାବଧାନରେ ସୋନମଙ୍କ ଚିକିତ୍ସା ଜାରି ରହିବ।
