ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ସରକାର ମହିଳା ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ଆତ୍ମନିର୍ଭର କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନାକୁ ମଞ୍ଜୁରୀ ମିଳିଛି । ଉତ୍ତର ପ୍ରଦେଶ ସରକାର ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ଅନୁସାରେ ପ୍ରାୟ ୫୦ ହଜାର ମେଧାବୀ ଛାତ୍ରୀଙ୍କୁ ମାଗଣା ସ୍କୁଟି ଦିଆଯିବ ।
ସରକାରଙ୍କ ସୂଚନା ଅନୁଯାୟୀ, ୨୦୨୫-୨୬ ଶିକ୍ଷାବର୍ଷରେ ଭଲ ଫଳାଫଳ କରିଥିବା ଛାତ୍ରୀମାନେ ଏହି ଯୋଜନାର ସୁବିଧା ପାଇବେ । ପରିବାରର ବାର୍ଷିକ ଆୟ ନିର୍ଦ୍ଧାରିତ ସୀମା ମଧ୍ୟରେ ଥିବା ଯୋଗ୍ୟ ଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ । ଏହା ସହ ନିରାଶ୍ରିତ, ଦିବ୍ୟାଙ୍ଗ ଏବଂ ଶହୀଦ ପରିବାରର ଝିଅମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସରକାର ଗ୍ରାମୀଣ ଏବଂ ଦୂରଦୂରାନ୍ତରୁ ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରୀମାନଙ୍କ ପରିବହନ ପାଇଁ ସମ୍ମୁଖୀନ ହେବାକୁ ପଡୁଥିବା ସମସ୍ୟା ଦୂର କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ।
ସରକାରଙ୍କ ମତରେ, ଦୂରଦୂରାନ୍ତରୁ କଲେଜକୁ ଯାଉଥିବା ଛାତ୍ରୀମାନଙ୍କ ପାଇଁ ଯାତାୟାତ ଏକ ବଡ଼ ସମସ୍ୟା । ଅନେକ ଥର ପିଲାମାନେ ପଢା ମଧ୍ୟ ଛାଡିଦେଉଛନ୍ତି । ଏହାକୁ ଧ୍ୟାନରେ ରଖି ସରକାର ଛାତ୍ରୀମାନଙ୍କୁ ସ୍କୁଟି ଉପଲବ୍ଧ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାଗଣା ସ୍କୁଟି ମିଳିଲେ ସେମାନେ ସହଜରେ ଉଚ୍ଚଶିକ୍ଷା ଜାରି ରଖିପାରିବେ ଏବଂ ଆତ୍ମନିର୍ଭରଶୀଳ ହୋଇପାରିବେ । ସୁଟିଂ ସହିତ ପଞ୍ଜିକରଣ, ବୀମା, ହେଲମେଟ, ୪ ଲିଟର ପେଟ୍ରୋଲ ଏବଂ ଜରୁରୀ ଉପକରଣ ମିଳିବ।
ଯୋଗୀ ସରକାରଙ୍କ ଏହି ପଦକ୍ଷେପକୁ ରାଜ୍ୟରେ ମହିଳା ଶିକ୍ଷା ଓ ସଶକ୍ତିକରଣ ଦିଗରେ ଏକ ବଡ଼ ପ୍ରୟାସ ଭାବେ ଦେଖାଯାଉଛି । ଯୋଜନାର ଉଦ୍ଦେଶ୍ୟ କେବଳ ଗାଡ଼ି ଦେବା ନୁହେଁ, ବରଂ ଛାତ୍ରୀମାନଙ୍କୁ ଆତ୍ମନିର୍ଭର, ସୁରକ୍ଷିତ ଏବଂ ଆତ୍ମବିଶ୍ବାସ କରିବା । ପରିବହନ ସୁବିଧା ମିଳିଲେ ଝିଅମାନେ ଉଚ୍ଚ ଶିକ୍ଷା ଲାଭ କରିପାରିବେ ଏବଂ ପାଠପଢା ଜାରି ରଖିବେ ।
