Live Tv

Live Tv

ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା

 ଯାଯପୁର: ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଓଳାଶୁଣୀ ମେଳା । ପ୍ରତିବର୍ଷ ମାଘମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଆରମ୍ଭ ହୋଇଥାଏ ଏହି ମେଳା । ସନ୍ଥ ଅରକ୍ଷିତ ଦାସଙ୍କ ମହାସମାଧି ଦିବସ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ହୋଇଛି ଏହି ମେଳା । ଏହି ମେଳା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।


ଓଁକାର କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଓଳାଶୁଣୀ ପାହାଡରେ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା । ସନ୍ଥ ଅରକ୍ଷିତ ଦାସଙ୍କ ମହାପ୍ରୟାଣ ତିଥିରେ ଶହଶହ ବର୍ଷ ଧରି ଏହି ମେଳା ଆୟୋଜିତ ହୋଇଆସୁଛି । ପ୍ରତିବର୍ଷ ମାଘକୃଷ୍ଣ ଏକାଦଶୀଠାରୁ ୯ ଦିନ ବ୍ୟାପୀ ପାଳନ କରାଯାଇଥାଏ ଏହି ମେଳା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଏକାଠି ହୋଇ ମାନସିକ ପୂର୍ବକ ପୋଡପିଠା ଭୋଗ କରିଥାନ୍ତି । ଏହି ସମୟରେ ଅରକ୍ଷିତଙ୍କ ଆଶୀର୍ବାଦ ସହ ଶ୍ରୀକ୍ଷେତ୍ର ଦର୍ଶନର ପୁଣ୍ୟ ଫଳ ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଚଳିତ ବର୍ଷ ଏହି ମେଳାକୁ ଆଡମ୍ବର ସହକାରେ ପାଳନ କରାଯାଉଛି । ଶ୍ରଦ୍ଧାଳୁମାନେ ପୋଡ ପିଠା ଭୋଗ କରୁଥିବା ବେଳେ ପୀଠକୁ ବହୁ ସାଧୁସନ୍ଥଙ୍କର ମଧ୍ୟ ସମାଗମ ହୋଇଛି ।

ଓଳାଶୁଣୀ ମେଳା ପାଇଁ ଚଳଚଞ୍ଚଳ ହୋଇଛି ଓଳାଶୁଣୀ ପହାଡ । ପରମ୍ପରା ଅନୁସାରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିରରୁ ଆଜ୍ଞାମାଳ ଯାଇ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ହେବାପରେ ବେଢା ପରିକ୍ରମା କରାଯାଇଥାଏ । ଏହି ମେଳା ସମୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ଲାଗିଥାଏ । ମେଳା ବୁଲିବା ସହ ଲୋକ ଏହାର ମଜା ଉଠାଇଥାନ୍ତି । ଚଳିତ ବର୍ଷ ମେଳାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ସନ୍ଥ ଅରକ୍ଷିତ ଦାସଙ୍କ ୧୮୯ତମ ମହାପ୍ରୟାଣ ଦିବସ ପାଳିତ ହେଉଥିବା ବେଳେ ପୀଠକୁ ଛଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।