ଭୁବନେଶ୍ୱର : ପୁଣି ବର୍ଷାରେ ଭିଜିବ ଓଡ଼ିଶା । ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ରାଜ୍ୟରେ ଏବେ ଜାରି ରହିଛି ମୌସୁମୀ ବର୍ଷା । ୨୪ ତାରିଖ ଯାଏ ବର୍ଷା ସମ୍ଭାବନା ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଜୁଳି ଘଡଘଡ଼ି ସହ ବର୍ଷା ନେଇ ଆଜି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେଥିରୁ ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖ ପର୍ଯ୍ୟନ୍ତ ଅଧା ଓଡ଼ିଶାକୁ ବର୍ଷା ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଜୁନ୍ ୧ରୁ ଜୁଲାଇ ୧୯ ଯାଏଁ ରାଜ୍ୟର ମୋଟ ବର୍ଷା ୪୬୩.୮ ମିଲିମିଟର ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ୪୦୫.୫ ମିଲିମିଟର ତୁଳନାରେ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ସୋନପୁରରେ ୧୦୨ ପ୍ରତିଶତ ଏବଂ ବରଗଡ଼ରେ ୬୧ ପ୍ରତିଶତ ଅଧିକ ବର୍ଷା ହୋଇଛି । କନ୍ଧମାଳରେ ୬୬, କେନ୍ଦ୍ରାପଡ଼ାରେ ୭୬ ଏବଂ ଜଗତସିଂହପୁରରେ ୬୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।
