ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ପ୍ରତ୍ୟେକ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ “ଟିଚ୍ କନ୍ଧମାଳ” (Teach Kandhamala) ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
୨୦୨୬-୨୭ ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଧୀନରେ ଜିଲ୍ଲାର ଶୀର୍ଷ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ସ୍କୁଲଗୁଡ଼ିକୁ ଯାଇ ଶିକ୍ଷାଦାନ, ପରିବେଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରୁଛନ୍ତି। ଏହି କ୍ରମରେ ଆଜି ଜୁଲାଇ ୨୦ ତାରିଖ (ସୋମବାର) ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ବେଦଭୂଷଣ ସିର୍ଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ସହ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସକାଳ ପ୍ରାର୍ଥନା ସଭା, ଶ୍ରେଣୀଗୃହରେ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟା, ସ୍କୁଲ ପରିସର, ଶୌଚାଳୟର ସ୍ୱଚ୍ଛତା ଓ ସାନିଟେସନ୍, ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିୟମିତ ଉପସ୍ଥାନ, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ତାର ମାନ ତଦାରଖ କରିଥିଲେ । ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ ଜଳେଶପଟ୍ଟା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ବାଲିଗୁଡ଼ା ଉପ-ଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶ ମୁଣ୍ଡିଗଡ଼ା ସ୍ଥିତ ମା’ ଭୈରବୀ ହାଇସ୍କୁଲ ପରିଦର୍ଶନ କରିଥିଲେ । ଏହା ବ୍ୟତୀତ ଖଣ୍ଡୀୟ ବନାଧିକାରୀ, ବାଲିଗୁଡା ବନଖଣ୍ଡ, ମୁଖ୍ୟ ଉନ୍ନୟନ ଅଧିକାରି ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶମ୍ଭୁ ନାଥ ନନ୍ଦୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡ ଅଞ୍ଜଳୀ ଶତପଥୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ସୀଧାସଳଖ ଆଲୋଚନା କରିଥିଲେ। ଜିଲ୍ଲାରେ ଶିକ୍ଷାର ମାହୋଲକୁ ଆହୁରି ସୁଦୃଢ଼ ଓ ଗୁଣାତ୍ମକ କରିବା ପାଇଁ “ଟିଚ୍ କନ୍ଧମାଳ” ଅଭିଯାନ ଏକ ପ୍ରଶଂସନୀୟ ଓ ବିପ୍ଲବାତ୍ମକ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
