ଆନ୍ଧ୍ରପ୍ରଦେଶରେ ଚିହ୍ନଟ ହେଲା କରୋନାର ନୂଆ ସବ୍-ଭାରିଆଣ୍ଟ ‘RF.5’ । ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତିର ଏକ ନୂଆ ସବ୍-ଭାରିଆଣ୍ଟ ‘Omicron RF.5’ ଚିହ୍ନଟ କରିଛି। ଜିନୋମ୍ ସିକ୍ୱେନ୍ସିଂ ପରେ ଏହି ସବ୍-ଭାରିଆଣ୍ଟ ବିଷୟରେ ଜଣାପଡ଼ିଛି। ତେବେ ଏହାକୁ ନେଇ ଆତଙ୍କିତ ନହେବାକୁ ଏବଂ ସତର୍କ ରହିବାକୁ ପ୍ରଶାସନ ତରଫରୁ କୁହାଯାଇଛି।
ରାଜ୍ୟର କଡ଼ପା ଜିଲ୍ଲାରୁ ଚାରୋଟି କୋଭିଡ୍ ନମୁନା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଥିଲା, ଯେଉଁଥିରେ ଏହି ‘RF.5’ ଭାରିଆଣ୍ଟ ଥିବା ସ୍ପଷ୍ଟ ହୋଇଛି। କିଛି ରିପୋର୍ଟ ଅନୁସାରେ ରାଜ୍ୟରେ ଏହି ପ୍ରଜାତି ସହ ଜଡ଼ିତ ପ୍ରାୟ ୧୬ଟି ମାମଲା ସାମ୍ନାକୁ ଆସିଛି। ନିକଟରେ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସରକାର ସର୍ଭେଲାନ୍ସ ବା ନଜର ରଖିବା ପ୍ରକ୍ରିୟାକୁ ଜୋରଦାର କରିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ୱାଇ. ସତ୍ୟ କୁମାର ଯାଦବ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରି ରାଜ୍ୟର ପ୍ରସ୍ତୁତିର ତଦାରଖ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବହୁତ କମ୍ ରହିଛି । ଏହି ମାମଲାଗୁଡ଼ିକ ଖୁବ୍ କମ୍ ଜାଗାରେ ଦେଖିବାକୁ ମିଳୁଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, RF.5 ହେଉଛି ଓମିକ୍ରନର ଏକ ରୂପ । ଯାହା ସାରା ବିଶ୍ୱରେ ଅଳ୍ପ ବହୁତ ଦେଖାଯାଉଛି।
ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଏହା ଅନ୍ୟ ଓମିକ୍ରନ୍ ଭାରିଆଣ୍ଟ ତୁଳନାରେ ଅଧିକ ବିପଜ୍ଜନକ କିମ୍ବା ମାରାତ୍ମକ ନୁହେଁ। ଏହା କୌଣସି ବଡ଼ ମହାମାରୀର ସଙ୍କେତ ନୁହେଁ, ବରଂ ରୁଟିନ୍ ଚେକଅପ୍ ବେଳେ ଏହା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହା ଉପରେ ନଜର ରଖିଛି। ରାଜ୍ୟରେ କୌଣସି ଲକଡାଉନ୍ କିମ୍ବା ବଡ଼ କଟକଣା ଲାଗୁ କରାଯାଇନି।
କେବଳ ସାଧାରଣ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଭିଡ଼ ସ୍ଥାନରେ କିମ୍ବା ବନ୍ଦ ଜାଗାରେ ମାସ୍କ ପିନ୍ଧନ୍ତୁ। ହାତ ସଫା ରଖନ୍ତୁ ଏବଂ କରୋନା ଲକ୍ଷଣ ଦେଖାଦେଲେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ। ବୃଦ୍ଧବୃଦ୍ଧା ଏବଂ ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିବା ହାଇ-ରିସ୍କ ବ୍ୟକ୍ତିମାନେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ।
