ବୈଶିଙ୍ଗା : ମୟୂରଭଞ୍ଜ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହିତ ବୈଶିଙ୍ଗା ଥାନା ଅର୍ନ୍ତଗତ ପାଟଳିପୁରା ପଞ୍ଚାୟତରେ ବୁଢ଼ାବଳଙ୍ଗ ଜଳସ୍ତର ବଢ଼ିଛି। ବନ୍ୟା ପରିସ୍ଥିତିକୁ ଆକଳନ କରି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ମାତ୍ର ବୈଶିଙ୍ଗା ବଡ଼ସାହି ମୁଖ୍ୟ ରାସ୍ତାର ନାଖରା ପୋଲ ତଳ ପାଶର୍ବରେ ଗତ ବନ୍ୟା ସମୟରେ ଅତଡ଼ା ଖସି ସୃଷ୍ଟି ହୋଇଥିବା ଘାଇ ନିକଟରେ ନଦୀଜଳ ପ୍ରବାହିତ ହେଉଥିବାରୁ ଚିନ୍ତାରେ ଅଛନ୍ତି ଅଞ୍ଚଳବାସୀ। ଏଥିପାଇଁ ଗତବର୍ଷ ପାଟଳିପୁରା , ଦାରିହା, କାଠପାଳ, ସିଙ୍ଗଲାମୁଣ୍ଡଳି, ଶାଳଗାଁ, ଦେବସ୍ଥଳୀ, ଡେଁଫଉଦା, ଖଣ୍ଡଦେଉଳା ଆଦି ତଳିଆ ଅଞ୍ଚଳର ଗ୍ରାମବାସୀ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ନରେ ଜିଲାପାଳ ହେମକାନ୍ତ ସଏ, ଏସ୍ପି ବରୁଣ ଗୁଣ୍ଠୁପାଲି, ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ସହିତ ଜରୁରୀକାଳିନ ଅଧିକାରୀମାନେ ନାଖରା ସେତୁ ନିକଟରେ ସ୍ଥିତି ଅନୁଧ୍ୟାନ କରିବା ସହିତ ସତର୍କ ରହିବା ପାଇଁ ସ୍ଥାନୀୟ ପାଟଳିପୁରା ସରପଞ୍ଚ ମମତା ନାଏକ, ରାଜସ୍ବ ନିରୀକ୍ଷକ, ବେତନଟୀ ଓ ବଡ଼ସାହି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି।
ତେବେ ମାଟି ଅତଡ଼ା ଖସି ସେତୁ ପ୍ରତି ବିପଦ ଥିବା ନେଇ ସରପଞ୍ଚ ମମତା ନାଏକଙ୍କୁ ପଚାରିବାରୁ ସ୍ଥିତି ସେତେବେଶି ବିପଦଜନକ ନୁହେଁ ବରଂ ପାଣି କମିଯିବା ପରେ ବାଉଁଶରେ ଫ୍ରେମ୍ ଲଗାଇ ବାଲିବସ୍ତା ଦିଆଗଲେ ଏହା ଅଧିକ ସୁରକ୍ଷିତ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବେତନଟୀ ଆର୍ ଆଣ୍ଡ ବିର ଉପଖଣ୍ଡ ଅଧିକାରୀ (ଏସ୍ଡିଓ) ଅରବିନ୍ଦ ମହାନ୍ତିଙ୍କୁ ପଚାରିବାରୁ ସେ ମଧ୍ୟ ସେତୁ ପ୍ରତି ବିପଦ ନ ଥିବା କହିଛନ୍ତି। ତେବେ ନଦୀର ଉଭୟ ପାଖ ଆଡ଼ିବନ୍ଧ ସୁରକ୍ଷା ପ୍ରକୃତ ପକ୍ଷେ ଜଳସେଚନ ବିଭାଗର ଦାୟିତ୍ୱ ହୋଇଥିବା ବେଳେ ତାଙ୍କ ବିଭାଗ ପକ୍ଷରୁ ଜରୁରୀକାଳିନ ପଦକ୍ଷେପ ନିଆଯାଇ ମାଟି ଧସିଥିବା ସ୍ଥାନରେ ବାଲିବସ୍ତା ଦିଆଯାଉଥିବା ଉପଖଣ୍ଡ ଅଧିକାରୀ ଜଣାଇଛନ୍ତିି।