ଭୁବନେଶ୍ୱର : ଧୀର ହେଲା ଗଭୀର ଅବପାତର ଗତି । ଆଜି ଦୀଘା-ହଳଦିଆ ନିକଟରେ ଉପକୂଳ ଅତିକ୍ରମ ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଇଏମଡିର ଆକଳନ ଅନୁସାରେ, ଏହା ଦୀଘାର ପୂର୍ବ ଏବଂ ହଳଦିଆର ପଶ୍ଚିମ ପାର୍ଶ୍ୱ ନିକଟରେ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଗଭୀର ଅବପାତ ଟି ଦୀଘାଠାରୁ ପ୍ରାୟ ୨୦ କିଲୋମିଟର ପୂର୍ବ, ହଳଦିଆଠାରୁ ୬୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଏବଂ ବାଲେଶ୍ୱରଠାରୁ ପ୍ରାୟ ୮୦ କିଲୋମିଟର ପୂର୍ବରେ କେନ୍ଦ୍ରୀଭୂତ ଥିଲା । ଗତ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ଗତି କରିଛି । ଧୀର ଗତି କାରଣରୁ ପୂର୍ବ ଆକଳନ ତୁଳନାରେ ଉପକୂଳ ଅତିକ୍ରମ ସମୟ ବିଳମ୍ବିତ ହୋଇଛି ।
ଏହାର ପ୍ରଭାବରେ ଓଡ଼ିଶାର ବିଶେଷକରି ଉପକୂଳ ଓ ଉତ୍ତର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ କେତେକ ସ୍ଥାନରେ ୨୧ ସେମି କିମ୍ବା ତା’ଠାରୁ ଅଧିକ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ଆକସ୍ମିକ ବନ୍ୟାର ଆଶଙ୍କା ରହିଛି । ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ଝଡ଼ ପବନ ବହିବା ସହ ଏହାର ବେଗ ୬୫ରୁ ୭୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ । ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ପଶ୍ଚିମବଙ୍ଗ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଅଧିକ ରହିବାକୁ ଥିବାରୁ ସମୁଦ୍ର ଅଶାନ୍ତ ରହିବ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡ଼ା ଚେତାବନୀ ଜାରି କରାଯାଇଛି। ଉପକୂଳ ଅତିକ୍ରମ ପରେ ଗଭୀର ଅବପାତ କ୍ରମଶଃ ଦୁର୍ବଳ ହେବ । ତେବେ ଏହାର ପ୍ରଭାବରେ ଆଗାମୀ ୨୪ରୁ ୩୬ ଘଣ୍ଟା ଧରି ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ବ୍ୟାପକ ବର୍ଷା ଜାରି ରହିପାରେ ।
