ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀସ୍ଥିତ ପ୍ରସିଦ୍ଧ 'ବନାନୀ କଳା ସଙ୍ଗମ' ପରିସରରେ କନ୍ଧମାଳ ଜିଲ୍ଲା ଚେସ୍ ସଙ୍ଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଉତ୍ସବ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଚେସ୍ (ଚତୁରଙ୍ଗ) ଖେଳର ପ୍ରସାର, ଗ୍ରାମାଞ୍ଚଳରୁ ନୂତନ ପ୍ରତିଭା ଖୋଜି ବାହାର କରିବା ଏବଂ ଯୁବ ଖେଳାଳିମାନଙ୍କୁ ଉପଯୁକ୍ତ ମାଧ୍ୟମ ପ୍ରଦାନ କରିବା ଲକ୍ଷ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ସଙ୍ଘର ବରିଷ୍ଠ ସଦସ୍ୟମାନଙ୍କ ଉପସ୍ଥିତିରେ ଆଗାମୀ କାର୍ଯ୍ୟକାଳ ପାଇଁ ନୂତନ କମିଟି ଚୟନ ପ୍ରକ୍ରିୟା ସର୍ବସମ୍ମତି କ୍ରମେ ସମ୍ପାଦିତ ହୋଇଥିଲା। ଏଥିରେ ଡ଼. ଅରୂପ କୁମାର ଜେନାଙ୍କୁ ସଭାପତି ଏବଂ ଗୌରୀ ଶଙ୍କର ମହାପାତ୍ରଙ୍କୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି।
ସେହିପରି ନବଗଠିତ କମିଟିରେ ଉପଦେଷ୍ଠା: ଇଂ. ଜ୍ଞାନ କୁମାର ଦୋରା, ବିଜୟ କୁମାର ମହାନ୍ତି, ସଭାପତି: ଡ଼. ଅରୂପ କୁମାର ଜେନା , କାର୍ଯ୍ୟକାରୀ ସଭାପତି: ସୁନୀଲ ପଟ୍ଟନାୟକ, ଉପ ସଭାପତି: ରାଧାମୋହନ ମହାପାତ୍ର, ପ୍ରଶାନ୍ତ କୁମାର ବେହେରା, ଅଜିତ କୁମାର ମହାରଣା, ସାଧାରଣ ସମ୍ପାଦକ: ଗୌରୀ ଶଙ୍କର ମହାପାତ୍ର, ସହ ସମ୍ପାଦକ: ତରୁଲତା ପରିଡା, ସଂଗଠନ ସମ୍ପାଦକ: ରବୀନ କୁମାର ସାମନ୍ତରାୟ, କୋଷାଧ୍ୟକ୍ଷ: ଜୟସେନ ପରିଡା, କାର୍ଯ୍ୟକାରୀ ସଦସ୍ୟ: ପ୍ରଶାନ୍ତ କୁମାର ଦାଶ, ନାରାୟଣ ସାହୁ, ବିରାଜିନୀ ମହାପାତ୍ର, ଅଶୋକ କୁମାର ପରିଡା, ନିର୍ବାଚନ ପରେ ଆୟୋଜିତ ସାଧାରଣ ସଭାରେ ନବନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିବା ସହ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଚେସ୍ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ସଙ୍କଳ୍ପ ନେଇଛନ୍ତି। ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ସାମ୍ନାକୁ ଆଣି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ସଙ୍ଘ ସଦାସର୍ବଦା ସଚେଷ୍ଟ ରହିବ ବୋଲି ନବନିର୍ବାଚିତ ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଏହି ନୂତନ କମିଟି ଗଠନ ପରେ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ସଂଗଠନ, ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀମାନଙ୍କ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।