ରାୟଗଡା: ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ୭୦ ଭରି ସୁନା ସହ ନଗଦ ୨ ଲକ୍ଷ ଟଙ୍କା ଲୁଟ୍ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା କେନ୍ଦୁଗୁଡ଼ା ଗାଁର ଦେବେନ୍ଦ୍ର ପଣ୍ଡାଙ୍କ ଘରୁ ଲୁଟ୍। ଘରେ କେହି ନଥିବା ବେଳେ ଘରର ତାଲା ଭାଙ୍ଗି ପ୍ରାୟ ୭୦ ଭରି ସୁନା ଅଳଙ୍କାର ସହ ୨ ଲକ୍ଷ ଟଙ୍କା ନଗଦ ଚୋରି କରିଥିବା ଅଭିଯୋଗ ହୋଇଛି। ଦେବେନ୍ଦ୍ର ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳରେ ଥିବା ଜଣେ ସମ୍ପର୍କୀୟଙ୍କ ଘରର ଭୋଜିରେ ଯୋଗଦେବା ପାଇଁ ଜୁଲାଇ ୨୨ ତାରିଖରୁ ଯାଇଥିଲେ। କାଲି ଘରକୁ ଫେରିବା ପରେ ଘରର ତାଲା ଭଙ୍ଗା ଥିବା ଏବଂ ଆଲମିରାରେ ରଖାଯାଇଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିବା ଦେଖି ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ। ପଦ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଏବଂ ଡ୍ରଗ୍ସ ସ୍କ୍ୱାଡର ସହାୟତାରେ ତଦନ୍ତ ଚଳାଇଛି।
ସେହିପରି ଗତକିଛି ଦିନ ତଳେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଂଚାୟତ ବାରିଙ୍ଗିଆ ଗ୍ରାମରେ ଘର ତାଲା ଭାଙ୍ଗି ଲୁଟିନେଇଥିଲେ ୨୦ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ସହ ନଗଦ ୮୦ ହଜାର ଟଙ୍କା । ଗାଁର ଅନନ୍ତ କୁମାର ମିଶ୍ରଙ୍କ ଘରେ ପଶି ସବୁ ଲୁଟିନେଇଥିଲେ ଲୁଟେରା ।
