Live Tv

Live Tv

ଜମ୍ମୁ କଶ୍ମୀରରେ ବର୍ଷା ତାଣ୍ଡବ, ଚାଲିଗଲାଣି ୧୦ରୁ ଅଧିକ ଜୀବନ

 jammu

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ବର୍ଷା ତାଣ୍ଡବ ରଚିଛି । ରାଜୌରୀ, ଅନନ୍ତନାଗ ଏବଂ ଉଧମପୁର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି । ବନ୍ୟା ସହରର ଅନେକ ଅଞ୍ଚଳକୁ ଜଳମଗ୍ନ କରିଦେଇଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଘଟଣା ଯୋଗୁଁ ୧୦ ଜଣଙ୍କ ଜୀବନ ଚାଲିଯାଇଛି । ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁ ଖୋଜା ଚାଲିଛି । ପ୍ରବଳ ବର୍ଷା ଯୋଗୁଁ ରଜୌରୀ ଅଞ୍ଚଳରେ ପାର୍କିଂ ଷ୍ଟାଣ୍ଡର ଥିବା ଅନେକ ଗାଡ଼ି ଭାସିଯାଇଛି । ଏହାଛଡା ଅନେକ ଘରକୁ କ୍ଷତି ପହଞ୍ଚିଛି ।

ଖବର ମୁତାବକ, ରାଜୌରୀ, ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ଆକସ୍ମିକ ବନ୍ୟା ଏବଂ ଖରାପ ପାଗ ଯୋଗୁଁ ୧୦ ଜଣଙ୍କ ଜୀବନ ଯାଇଛି । ଏପର୍ଯ୍ୟନ୍ତ ଉଭୟ ଜିଲ୍ଲାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଶାସନ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫର ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ରାଜୌରୀ ଜିଲ୍ଲାରେ ବେଲା ବସ୍ ଷ୍ଟାଣ୍ଡର ତଳିଆ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି, ପ୍ରବଳ ସ୍ରୋତରେ ଅନେକ ପାର୍କିଂ ହୋଇଥିବା ଗାଡ଼ି ଭାସି ଯାଇଛି । ଅନେକ ଯାନବାହନ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଉଛି । ବନ୍ୟାରେ ସାତଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ, ସେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ରବିବାର ସକାଳ ଠାରୁ, ମୁଁ ଜମ୍ମୁର କିଛି ଅଂଶରେ, ବିଶେଷକରି ରାଜୌରୀ ସହର ଏବଂ ଏହାର ଆଖପାଖରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ କଡ଼ା ନଜର ରଖିଛି । ମୁଁ ଅଞ୍ଚଳର ସ୍ଥାନୀୟ ବିଧାୟକଙ୍କ ସହ ଯୋଗାଯୋଗରେ ଅଛି ।

କଶ୍ମୀର ପ୍ରଶାସନ ଲୋକଙ୍କୁ ଅନାବଶ୍ୟକୀୟ ଯାତ୍ରା କରିବାକୁ ମନା କରିଛି । ଲୋକଙ୍କୁ ନଦୀ, ନାଳ ଏବଂ ବନ୍ୟା ଆଶଙ୍କା ଥିବା ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ ୧୯ରୁ ୨୩ ଜୁଲାଇ ଯାଏଁ ପ୍ରବଳ ବର୍ଷା ଆକଳନ କରିଛି । ବିଶେଷ ଭାବେ ଜମ୍ମୁ, କଠୁଆ, ସାମ୍ବା, ରାଜୌରୀ, ଡୋଡା, ରାମବନ ଏବଂ କିସ୍ତୱାଡ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।