Live Tv

Live Tv

ଏକ ସାଧାରଣ ବସ୍ ଡ୍ରାଇଭର ଘରୁ ମିଳିଲା ୨୮ କୋଟି ଟଙ୍କା ଏବଂ ୧୫ କେଜି ସୁନା

 କୋଲକତା : ପୋଲିସ ରେଡ୍ ବେଳେ ମିଳିଲା ବସ୍ତା ବସ୍ତା ଟଙ୍କା ଓ ସୁନା । ପଶ୍ଚିମବଙ୍ଗ ବୀରଭୂମିରେ ପୋଲିସ ଏକ ସାଧାରଣ ବସ୍ ଡ୍ରାଇଭର ଘରେ ଚଢାଉ କରିବା ବେଳେ ଏସବୁ ଦେଖି ସ୍ତବ୍ଧ ହୋଇଛି । ଘର ଭିତରର ଦୃଶ୍ୟ କୌଣସି ବଲିଉଡ ଫିଲ୍ମ ଠାରୁ କମ୍ ନୁହେଁ । ରୁମରେ ନୋଟ ଭର୍ତ୍ତି ବ୍ୟାଗ ଏବଂ ସୁନା ଦେଖି ପୋଲିସ ଆଖି ଟେରା ହୋଇଛି । ଏହା ପୁଣି କୌଣସି ସରକାରୀ ଚାକିରିଆ କିମ୍ବା ଖଣି ମାଫିଆଙ୍କ ଘରେ ନୁହେଁ, ବରଂ ଜଣେ ସାଧାରଣ ସରକାରୀ ବସ୍ ଡ୍ରାଇଭରଙ୍କର ଘରେ ଦେଖିବାକୁ ମିଳିଛି ।


ପୋଲିସ ଅନୁଯାୟୀ, ସାଧାରଣ ଦେଖାଯାଉଥିବା ଘରେ ୨୮ କୋଟି ଟଙ୍କା ନଗଦ ଏବଂ ୧୫ କିଲୋ ସୁନା ଦେଖି ପୋଲିସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୂର୍ବତନ ସରକାରୀ ବସ୍ ଡ୍ରାଇଭର ମିନାର ମଣ୍ଡଳଙ୍କ ଗାଁରେ ଥିବା ଦୁଇ ମହଲା ଘରେ ପୋଲିସ ରେଡ୍ କରିଥିଲା । ଘରୁ ୩୫ଟି ବସ୍ତାରେ ପ୍ୟାକ୍ ହୋଇଥିବା ପ୍ରାୟ ୧୫ କିଲୋ ସୁନା ବିସ୍କୁଟ ଏବଂ ୨୦ କୋଟି ଟଙ୍କା ନଗଦ ଜବତ ହୋଇଛି । ସୂଚନା ପାଇ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଦେଉଚା ଅଞ୍ଚଳରେ ମିନାରଙ୍କ ଘରେ ଚଢାଉ କରିଥିଲା ।

ନୋଟ ବଣ୍ଡଲ ଏବଂ ବସ୍ତା ବସ୍ତା ସୁନା ଦେଖି ପୋଲିସ ପାଞ୍ଚଟି ଟଙ୍କା ଗଣନା ମେସିନ୍ ମଗାଇଥିଲା । ନୋଟ୍ ଗଣନା ଘଣ୍ଟା ଘଣ୍ଟା ଧରି ଚାଲିଲା । ହେଲେ ସରିଲାନି । ମଝିରେ ଟଙ୍କା ଗଣା ମେସିନ ମଧ୍ୟ ଖରାପ ହୋଇଗଲା । ତାଙ୍କ ଘରୁ ସୁନାର ୧୪ଟି ବାଡ଼ି, ୧୦୦-୧୦୦ ଗ୍ରାମର ସୁନା ବିସ୍କୁଟ ପୋଲିସ ଜବତ କରିଛି । ଜବତ ସୁନାର ଦାମ୍ ପ୍ରାୟ ୨୨ କୋଟି ହେବ ବୋଲି ଜଣାପଡିଛି । ବସ୍ତାରେ ୨୮ କୋଟି ଟଙ୍କା ନଗଦ ମିଳିଛି ।

ପୋଲିସ ମୁତାବକ, ଏହି ଘଟଣା ପଥର ଶିଳ୍ପର ବେଆଇନ କାର୍ଯ୍ୟକଳାପ ସହିତ ଜଡିତ । ମୀନାର ମଣ୍ଡଳଙ୍କ ସଂସ୍ଥା ତିନୋଟି ଜିଲ୍ଲାରେ ପଥର ଶିଳ୍ପର ପ୍ରବେଶ ଫାଟକରେ ଟିକସ ଆଦାୟ କରୁଥିବା ଅଭିଯୋଗ ହୋଇଛି । ପ୍ରତି ମାସରେ ସରକାରୀ କୋଷାଗାରରେ ୮୩ କୋଟି ଜମା କରିବା ଆଶା କରାଯାଉଥିଲା, କିନ୍ତୁ ସରକାରଙ୍କୁ କେବଳ ୨ ରୁ ୫ କୋଟି ଟଙ୍କା ଦେଖାଯାଇଥିଲା । ବାକି ଟଙ୍କା ଏହି ୩୫ ବସ୍ତା ଭିତରେ ଲୁଚାଇ ରଖାଯାଇଥିଲା । ପୋଲିସ ଏହି ମାମଲାରେ ମୀନାର ଏବଂ ତାଙ୍କ ପୁଅକୁ ଗିରଫ କରିଛି । ଏହାପରେ ସେମାନଙ୍କର ଅନ୍ୟ ଠିକଣା ବିଷୟରେ ପଚରାଉଚରା କରାଯାଉଛି । ପୋଲିସ ଏସବୁକୁ ଜବତ କରି ଏହାର ତଦନ୍ତ କରୁଛି ।