ଭଦ୍ରକ : ମୃତ୍ୟୁ ସହ ୨୪ ଘଣ୍ଟାର ସଂଘର୍ଷ! । ବିଲ ମଝିରେ ତାଳଗଛ ଉପରେ କଟିଲା ୨୪ ଘଣ୍ଟା । ବନ୍ୟା ପାଣି ମଝିରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଜଣେ ଚାଷୀ । ବିଲ କାମ କରିବାକୁ ଯାଇ ହଠାତ୍ ବନ୍ୟା ପାଣି ଘେରିଯିବାରୁ ପ୍ରାଣ ବଞ୍ଚାଇବା ପାଇଁ ଏକ ତାଳଗଛ ଉପରକୁ ଚଢ଼ି ଯାଇଥିଲେ । ଆଉ ସେହି ତାଳଗଛ ଉପରେ ପ୍ରାୟ ୨୪ ଘଣ୍ଟା ଧରି ଭୋକ ଓ ଭୟ ମଧ୍ୟରେ କାଟିଥିଲେ ସମୟ । ପୁଅର ଗୋଟିଏ ଫୋନ୍ କଲ୍ ପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ । ରାତି ତମାମ ଖୋଜାଖୋଜି କରିଥିଲେ ୩ଟି ଓଡ୍ରାଫ ଟିମ୍, ହେଲେ ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳୁ ଓଡ୍ରାଫ ଟିମ୍ ସୁରକ୍ଷିତ ଭାବେ ଚାଷୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ।
ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତର ଗୋଣ୍ଡିଚା ସାହିର ତ୍ରିଲୋଚନ ସାହୁ ବିଲ କାମ କରିବାକୁ ଯାଇଥିବା ବେଳେ ବନ୍ୟା ପାଣି ବଢ଼ିଯିବାରୁ ଫସି ଯାଇଥିଲେ। ଉପାୟ ନପାଇ ସେ ଏକ ତାଳଗଛ ଉପରକୁ ଚଢ଼ି ପ୍ରାଣ ବଞ୍ଚାଇଥିଲେ । ତ୍ରିଲୋଚନଙ୍କ ପୁଅ ସରୋଜ ସାହୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଫୋନ୍ ଯୋଗେ ବାପା ନିଖୋଜ ଥିବା ଓ ବିଲ ମଝିରେ ଫସି ରହିଥିବା ନେଇ ଜଣାଇଥିଲେ । ଖବର ପାଇବା ପରେ ମନ୍ତ୍ରୀ ତୁରନ୍ତ ଉଦ୍ଧାର ପାଇଁ ଟିମ୍ ଗଠନ କରି ଧାମନଗର ଏସଡିପିଓଙ୍କୁ ଦାୟିତ୍ୱ ଦେଇଥିଲେ । ଉଦ୍ଧାର ପରେ ପରିବାର ଲୋକଙ୍କ ମୁହଁରେ ଫୁଟିଛି ହସ, ଆଉ ଅଞ୍ଚଳବାସୀ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି ।