ଜମ୍ମୁକାଶ୍ମୀର : କଶ୍ମୀର ଘାଟିରେ ଟାର୍ଗେଟ କିଲିଂ, ୨ ଶ୍ରମିକଙ୍କୁ ଗୁଳି କରି ହତ୍ୟା। ଜମ୍ମୁକାଶ୍ମୀରରେ ପୁଣି ବର୍ବରକାଣ୍ଡ ରଚିଲେ ଆତଙ୍କବାଦୀ। ପହଲଗାମ ପରେ, ଏବେ କୁଲଗାମରେ ଦୁଇ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତ ଶ୍ରମିକମାନେ ହେଲେ ଛତିଶଗଡ଼ ରାଜ୍ୟର ୨୪ ବର୍ଷୀୟ ଦୀପକ ରାତ୍ରେ ଓ ୨୮ ବର୍ଷୀୟ ଭୂପେନ୍ଦ୍ର ଭାଇନା। ଦୀପକଙ୍କ ଘର ଶକ୍ତି ଜିଲ୍ଲା ବୁନ୍ଦେଲି ଗାଁରେ ହୋଇଥିବା ବେଳେ ଭୂପେନ୍ଦ୍ରଙ୍କ ଘର ସାରଙ୍ଗଗଡ଼-ବିଲାଇଗଡ଼ ଜିଲ୍ଲା ଅଞ୍ଚଳରେ।
ଦୁହେଁ ଦାଦନ ଶ୍ରମିକ ଭାବେ ଜମ୍ମୁକାଶ୍ମୀର କୁଲଗାମରେ ଏକ ଇଟାଭାଟିରେ କାମ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ଦୀପକଙ୍କ ମାମୁଁ । ତେବେ ଦୀପକ ଓ ଭୂପେନ୍ଦ୍ର ଉଭୟେ ସେମାନଙ୍କ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ରୋଜଗାର ପାଇଁ କିଛିମାସ ତଳେ ଜମ୍ମୁକାଶ୍ମୀର ଚାଲି ଆସିଥିଲେ। ସ୍ବଳ୍ପ ମଜୁରିରେ ଉଭୟେ କୁଲଗାମରେ ଏକ ଇଟାଭାଟିରେ କାମ କରୁଥିଲେ। ଅପରପକ୍ଷେ ଛତିଶଗଡ଼ରେ କାନ୍ଦବୋବାଳି ଫାଟି ପଡ଼ୁଛି ମୃତ ଶ୍ରମିକଙ୍କ ଘର ଓ ଗାଁ।
ତୁରନ୍ତ ଆତଙ୍କବାଦୀଙ୍କୁ କାବୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଉଭୟଙ୍କ ପରିବାର। ସେପଟେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଆତଙ୍କୀ ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଦୁଇ ମୃତକଙ୍କ ପରିବାର ବର୍ଗଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହୟତା ଘୋଷଣା କରିଛନ୍ତି । ଗତବର୍ଷ ଏପ୍ରିଲ ୨୨ ତାରିଖରେ ପହଲଗାମରେ ବର୍ବରୋଚିତ ଆକ୍ରମଣ କରିଥିଲେ ସୀମାପାର୍ ଆତଙ୍କବାଦୀ। ୨୬ ପର୍ଯ୍ୟଟଙ୍କକୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ।
