ଖଜୁରୀପଡ଼ା:ସମାଜକୁ ନିଶାମୁକ୍ତ କରିବା ଏବଂ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେବା ଲକ୍ଷ୍ୟରେ ଖଜୁରୀପଡ଼ା ଥାନା ପୋଲିସ ପକ୍ଷରୁ ଏକ ବିଶେଷ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ‘ନିଶାମୁକ୍ତ ଓଡ଼ିଶା’ ଗଠନ ସଙ୍କଳ୍ପ ନେଇ ପୋଲିସ ବାହିନୀ ବିଭିନ୍ନ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରାଉଛନ୍ତି।ଏହି ଅଭିଯାନରେ ବୁଢ଼ାରାକାଡ଼ି ହାଇସ୍କୁଲ, ନୂଆଗାଁ ହାଇସ୍କୁଲ ଏବଂ ରଣପାଟୁଲି ହାଇସ୍କୁଲଠାରେ ସଚେତନତା ସଭା ଅନୁଷ୍ଠିତ କରାଯାଇଛି। ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ନିଜେ ବିଦ୍ୟାଳୟଗୁଡ଼ିକରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସହ ସୀଧାସଳଖ ଆଲୋଚନା କରୁଛନ୍ତି। ଆଜିର ଯୁବପିଢ଼ି ଯେପରି ପଥ ଭ୍ରଷ୍ଟ ନ ହୋଇ ଶିକ୍ଷା ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବେ, ସେ ନେଇ ସେ ସୁନ୍ଦର ଦିଗଦର୍ଶନ ଦେଉଛନ୍ତି।ଛାତ୍ରଛାତ୍ରୀମାନେ ଯେପରି ନିଶା ଦ୍ରବ୍ୟର ସେବନ ଓ ଏହାର କାରବାରଠାରୁ ଦୂରେଇ ରହିବେ, ସେଥିପାଇଁ ମଧ୍ୟ ପରାମର୍ଶ ଦେବା ସହିତ ବେଆଇନ ନିଶା କାରବାର ଓ ସେବନ କଲେ ଆଇନ ଅନୁଯାୟୀ କିଭଳି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ସେ ଉପରେ ମଧ୍ୟ ବିସ୍ତୃତ ଭାବେ ବୁଝାଉଛନ୍ତି।ଆଗାମୀ ଦିନରେ ଅଞ୍ଚଳର ଅନ୍ୟ ସମସ୍ତ ବିଦ୍ୟାଳୟକୁ ଗସ୍ତ କରି ଏହି ସଚେତନତା ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ପୋଲିସର ଏହି ପ୍ରଶଂସନୀୟ ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷକ ଓ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି।
