ଖଜୁରୀପଡ଼ା:କନ୍ଧମାଳ ଜିଲ୍ଲା ସଦର ଥାନା ଅଧୀନସ୍ଥ ସୁଡ୍ରୁକୁମ୍ପା ଫାଣ୍ଡି ଅନ୍ତର୍ଗତ ସୁଡ୍ରେଜୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟ କ୍ରାଣ୍ଡିମାସ୍କାଠାରେ ମଙ୍ଗଳବାର ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଟ୍ରକ୍ ଧକ୍କାରେ ଦାଦା-ପୁତୁରାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଟି ଗୋରୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି।ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ସମୟରେ ଏକ ଅଜଣା ଟ୍ରକ୍ ସୁଡ୍ରେଜୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟ କ୍ରାଣ୍ଡିମାସ୍କାଠାରେ ଭାରସାମ୍ୟ ହରାଇଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଏକ ବାଇକ୍କୁ ଟ୍ରକ୍ଟି ଧକ୍କା ଦେବା ସହ ରାସ୍ତାକଡ଼ରେ ଶୋଇଥିବା ଦୁଇଟି ଗୋରୁଙ୍କ ଉପରେ ମାଡ଼ିଯାଇଥିଲା।ଦୁର୍ଘଟଣାରେ ବାଇକ୍ରେ ଥିବା ଦୁଇଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକ ଦୁଇଜଣ ସମ୍ପର୍କରେ ଦାଦା-ପୁତୁରା ବୋଲି ଜଣାପଡ଼ିଛି। ଏଥିସହ ଦୁଇଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ହୋଇଛି।ଘଟଣା ପରେ ଅଜଣା ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଚାଳକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରଖିଛି।
