Live Tv

Live Tv

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି, ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଆଉ ଏକ ପଦକ୍ଷେ

 cm

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ଆପୋସ ସମାଧାନ ଦିଗରେ ଆଉ ଏକ ପଦକ୍ଷେପ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବୈଷୟିକ ଆଲୋଚନାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ରୀୟ ଜଳ ଆୟୋଗ (CWC)ର ସଂପୃକ୍ତିକୁ ସ୍ୱାଗତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ଜୁଲାଇ ୨୨ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିଷ୍ଣୁ ସାଏ ।

ଏଥିରେ ଆଲୋଚନା ଓ ପାରସ୍ପରିକ ସହଯୋଗ ଜରିଆରେ ମହାନଦୀ ବିବାଦର ଆପୋସ ସମାଧାନ ପାଇଁ ପଦକ୍ଷେପ ନେଇଥିବାରୁ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଦୁଇ ରାଜ୍ୟର ଲୋକଙ୍କ ବୃହତ୍ତର ସ୍ୱାର୍ଥରେ ଏକ ନ୍ୟାୟସଙ୍ଗତ, ସମାନତାଭିତ୍ତିକ ଓ ଦୀର୍ଘସ୍ଥାୟୀ ସମାଧାନ ପାଇଁ ଏହା ଉଭୟ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।

ବିଷ୍ଣୁ ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି , ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବୈଷୟିକ ଆଲୋଚନାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ CWCକୁ ସାମିଲ କରିବା ପ୍ରସ୍ତାବକୁ ଛତିଶଗଡ଼ ସରକାର ଗ୍ରହଣ କରିଛନ୍ତି। ଗତ ୧୦ ମାସ ମଧ୍ୟରେ ଦୁଇ ରାଜ୍ୟର ପ୍ରତିନିଧିଙ୍କୁ ନେଇ ଗଠିତ ଯୁଗ୍ମ ବୈଷୟିକ କମିଟି ଏକାଧିକ ଥର ବୈଠକ କରିଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ମାର୍ଗଦର୍ଶନରେ ଆଲୋଚନା, ତଥ୍ୟ ଆଦାନପ୍ରଦାନ ଏବଂ ପରସ୍ପରର ଚିନ୍ତାକୁ ବୁଝିବା ଜରିଆରେ ଅନେକ ବିବାଦୀୟ ପ୍ରସଙ୍ଗର ସମାଧାନ ହୋଇପାରିଛି।

ତେବେ କେତେକ ଜଟିଳ ଓ ଅସମାହିତ ପ୍ରସଙ୍ଗର ସମାଧାନ ପାଇଁ ଅତିରିକ୍ତ ସ୍ୱାଧୀନ ବୈଷୟିକ ବିଶେଷଜ୍ଞତା ଆବଶ୍ୟକ ବୋଲି ବିଷ୍ଣୁ ସାଏ କହିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ CWCକୁ ନିରପେକ୍ଷ ତୃତୀୟ ପକ୍ଷ ସହାୟକ ଭାବେ ସ୍ୱାଗତ କରିଛି ଛତିଶଗଡ଼। ସେମାନଙ୍କ ସଂପୃକ୍ତି ଆଲୋଚନା ପ୍ରକ୍ରିୟାର ବିଶ୍ୱସନୀୟତା ବଢ଼ାଇବା ସହ ସ୍ୱାଧୀନ ବୈଷୟିକ ମାର୍ଗଦର୍ଶନ ଦେବ ବୋଲି ବିଷ୍ଣୁ ସାଏ କହିଛନ୍ତି। ଅବଶିଷ୍ଟ ଜଳବିଜ୍ଞାନ, ପରିବେଶ ଓ ବିକାଶ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଯାଞ୍ଚ ହୋଇଥିବା ତଥ୍ୟ ଆଧାରରେ ବିଚାର କରାଯିବା ଉଚିତ।

ଏହାସହ ଆନ୍ତଃରାଜ୍ୟ ନଦୀଜଳର ନ୍ୟାୟସଙ୍ଗତ ଓ ଯୁକ୍ତିସଙ୍ଗତ ବ୍ୟବହାର ନୀତିକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଓଡ଼ିଶା, ଛତିଶଗଡ଼, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ CWC ପ୍ରତିନିଧିଙ୍କୁ ନେଇ ଖୁବଶୀଘ୍ର ଏକ ବୈଠକ ଡାକିବାକୁ ମଧ୍ୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏଥିରେ ସମ୍ପ୍ରସାରିତ କମିଟିର ରୂପରେଖ, ଆଲୋଚନାର ଢାଞ୍ଚା, ତଥ୍ୟ ଆଦାନପ୍ରଦାନ ବ୍ୟବସ୍ଥା ଏବଂ ପରବର୍ତ୍ତୀ ବୈଷୟିକ ଆଲୋଚନାର ସମୟସୂଚୀ ଚୂଡ଼ାନ୍ତ କରିବାକୁ ସେ କହିଛନ୍ତି।

ସ୍ୱଚ୍ଛ ଓ ସମୟବଦ୍ଧ ଢଙ୍ଗରେ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଛତିଶଗଡ଼ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଆଶ୍ୱାସନା ଦେଇଛନ୍ତି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ସହାୟତାରେ ଦୁଇ ରାଜ୍ୟର ମିଳିତ ଉଦ୍ୟମ ମହାନଦୀ ବିବାଦର ଏକ ନ୍ୟାୟସଙ୍ଗତ ଓ ଦୀର୍ଘସ୍ଥାୟୀ ସମାଧାନର ବାଟ ଖୋଲିବ ଏବଂ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ପାରସ୍ପରିକ ବିଶ୍ୱାସକୁ ଆହୁରି ମଜଭୁତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଜୁଲାଇ ୨୫ ରେ ମୋହନ ମାଝି ଲେଖିଥିବା ଚିଠି ଏବଂ ଏହା ପରବର୍ତ୍ତୀ ପତ୍ରାଳାପର ମଧ୍ୟ ଉଲ୍ଲେଖ କରିଛନ୍ତି ବିଷ୍ଣୁ ସାଏ । ଦ୍ୱିପାକ୍ଷିକ ବୈଷୟିକ ଆଲୋଚନାରେ ହୋଇଥିବା ଅଗ୍ରଗତିରୁ ଆଲୋଚନା ଓ ସହଯୋଗ ଜରିଆରେ ଦୁଇ ରାଜ୍ୟ ମଧ୍ୟରେ ଥିବା ମତପାର୍ଥକ୍ୟ କମାଯାଇପାରିବ ବୋଲି ସେ ସଙ୍କେତ ଦେଇଛନ୍ତି।