ଭୁବନେଶ୍ୱର : ବନ୍ୟା ପରେ ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଥିବାରୁ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ସରକାରୀ ସୂଚନା ଅନୁଯାୟୀ, ବନ୍ୟା ସମୟରେ ଏପର୍ଯ୍ୟନ୍ତ ୯୬ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି । ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ସେ ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବସନ୍ତ ପ୍ରଧାନ କହିଛନ୍ତି । ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, ପୁରୀ ଓ କଟକ । ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ସହ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇଛି । ମେଡିକାଲ ଟିମ୍ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରୁଛନ୍ତି । ଜ୍ୱର, ଚର୍ମରୋଗ, ସଂକ୍ରମଣ ଓ ଅନ୍ୟାନ୍ୟ ବନ୍ୟାଜନିତ ରୋଗ ଉପରେ ବିଶେଷ ନଜର ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ବନ୍ୟା ପରେ ୧୯୫ଟି ଡାଏରିଆ ମାମଲା ଚିହ୍ନଟ ହୋଇଛି । ଏପର୍ଯ୍ୟନ୍ତ ୨୧,୩୩୪ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ୪୮୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୩୩୨ ଜଣଙ୍କର ପ୍ରସବ ସଫଳତାର ସହ ହୋଇଥିବା ବେଳେ ଏଥିରେ ମା’ କିମ୍ବା ନବଜାତ ଶିଶୁଙ୍କ ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି ଯେ, ବନ୍ୟା ପାଣିରେ ଚାଲିବା ବେଳେ ସତର୍କ ରୁହନ୍ତୁ, ରାତିରେ ଟର୍ଚ୍ଚ ବ୍ୟବହାର କରନ୍ତୁ, ଘର ଓ ଆଖପାଖକୁ ସଫା ରଖନ୍ତୁ ଏବଂ ସାପ କାମୁଡ଼ିଲେ କୌଣସି ଘରୋଇ ଚିକିତ୍ସା ନକରି ତୁରନ୍ତ ନିକଟସ୍ଥ ମେଡିକାଲକୁ ଯାଆନ୍ତୁ । ବନ୍ୟା ପାଣି କମୁଥିଲେ ମଧ୍ୟ ବିପଦ ଏବେ ସମ୍ପୂର୍ଣ୍ଣ ଟଳିନାହିଁ। ସାପ କାମୁଡ଼ା, ଡାଏରିଆ ଏବଂ ଜଳବାହିତ ରୋଗକୁ ନେଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପୁଣିଥରେ ସାଧାରଣ ଲୋକଙ୍କୁ ଅପିଲ୍ କରିଛି । ସତର୍କତା ଓ ସମୟୋପଯୋଗୀ ଚିକିତ୍ସା ହିଁ ବନ୍ୟା ପରବର୍ତ୍ତୀ ବିପଦରୁ ସୁରକ୍ଷା ଦେଇପାରିବ ।
