ବଳଙ୍ଗା: ଦିନ ହେଉ କି ରାତି । କୁଆଡେ ଚାଷ ଜମିରେ ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ଷଣ୍ଢ ପଲ । ପନିପରିବା ବିଲ ହେଉ, କି ଅମଳ ଅପେକ୍ଷାରେ ଥିବା ଧାନ ଫସଲ । ଯୁଆଡ଼େ ଚାହିଁଲେ, ସିଆଡ଼େ ପଶି ଯାଉଛନ୍ତି ଷଣ୍ଢ । ମାଡ଼ି ଦଳି ନଷ୍ଟ କରୁଛନ୍ତି ଚାଷୀଙ୍କ ମାସ ମାସର ପରିଶ୍ରମ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଏବେ ଷଣ୍ଢ ଓ ଅଣ୍ଡିରା ବାଛୁରୀଙ୍କ ଉତ୍ପାତ ଚାଷୀଙ୍କ ପାଇଁ ବଡ଼ ମୁଣ୍ଡବ୍ୟଥା ପାଲଟିଛି । ଉଛୁପୁର, ଗୋପୀନାଥପୁର, ବଳଙ୍ଗା, ଚନ୍ଦ୍ରଦେଇପୁର ଓ ରୁପୁଦେଇପୁର ପଞ୍ଚାୟତର ଶହ ଶହ ଚାଷୀ ଏଥିରେ ପ୍ରଭାବିତ ।
ଅଭିଯୋଗ ହେଉଛି, ଅଞ୍ଚଳରେ ନାହିଁ କାଞ୍ଜିଆ ଖସ ବ୍ୟବସ୍ଥା । ଫଳରେ ମାଳ ମାଳ ଷଣ୍ଢ ଓ ଅଣ୍ଡିରା ବାଛୁରୀ ରାସ୍ତାଘାଟରୁ ଆରମ୍ଭ କରି ଚାଷ ଜମି ଯାଏଁ ସବୁଠି ଘୁରି ବୁଲୁଛନ୍ତି । ଚାଷୀ ରାତିରେ ଶୋଇବ କେମିତି? ବିଲରେ ଫସଲ ରହିବ କେମିତି? ଏମିତି ଅନେକ ପ୍ରଶ୍ନ ଏବେ ଚାଷୀଙ୍କ ମନରେ।
ବର୍ଷକର ପରିଶ୍ରମକୁ କେଇ ମିନିଟରେ ମାଟିରେ ମିଶାଇ ଦେଉଛନ୍ତି ଷଣ୍ଢ ପଲ । କ୍ଷତି ସହୁଛି ଚାଷୀ, ହେଲେ ସମାଧାନ କେବେ? ତେବେ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ବଳଙ୍ଗା ଥାନାରେ ପହଞ୍ଚିଲେ ୧୦୦ରୁ ଊର୍ଦ୍ଧ୍ୱ ଚାଷୀ । ଷଣ୍ଢ ଓ ଅଣ୍ଡିରା ବାଛୁରୀଙ୍କ ଉତ୍ପାତରୁ ଚାଷ ଜମିକୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।
