Live Tv

Live Tv

୧୫ ବର୍ଷ ପରେ ଜେଲରୁ ମୁକୁଳିଲେ ଆଜାଦ୍

 jail

ଗଜପତି: ୧୫ ବର୍ଷ ପରେ ଝାରପଡ଼ା ଜେଲରୁ ମୁକୁଳିଲେ ମାଓବାଦୀ ନେତା ଆଜାଦ । ଭୁବନେଶ୍ୱର ଝାରପଡ଼ା ସ୍ପେଶାଲ୍ ଜେଲ୍ ରୁ ମୁକୁଳିଛନ୍ତି ମାଓବାଦୀ ନେତା ଡି. କେଶବ ରାଓ ଓରଫ ଆଜାଦ । ଦୀର୍ଘ ପ୍ରାୟ ୧୫ ବର୍ଷ ଧରି ସେ ଜେଲ୍ ରେ ରହିଥିଲେ। ଆନ୍ଧ୍ରପ୍ରଦେଶରେ ଆତ୍ମସମର୍ପଣ କରିବା ପରେ ୨୦୧୧ ଜୁନ୍ ରୁ ତାଙ୍କୁ ଝାରପଡ଼ା ଜେଲ୍ ରେ ରଖାଯାଇଥିଲା। ରିପୋର୍ଟ ଅନୁସାରେ, ସେ ପ୍ରାୟ ୧୯ ବର୍ଷ ଧରି ମାଓବାଦୀ ସଂଗଠନ ସହ ଜଡ଼ିତ ଥିଲେ। ଆଜାଦ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ବାସିନ୍ଦା ।

ସେ ମାଓବାଦୀ ସଂଗଠନର ବଂଶଧାରା ଡିଭିଜନ୍ ର ସଚିବ ଭାବେ କାମ କରିଥିବା ସହ ଓଡ଼ିଶାରେ ସଂଗଠନର ଜଣେ ବରିଷ୍ଠ ନେତା ଥିଲେ। ୨୦୧୧ ମେ’ ୧୮ରେ ସେ ହାଇଦ୍ରାବାଦରେ ତତ୍କାଳୀନ ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ନେଇ ରେକର୍ଡରେ ଉଲ୍ଲେଖ ରହିଛି। ଆଜାଦଙ୍କ ନାଁରେ ଓଡ଼ିଶାରେ ଅନେକ ମାଓବାଦୀ ହିଂସା ସମ୍ପର୍କିତ ମାମଲା ରହିଥିଲା । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ନୟାଗଡ଼ ପୋଲିସ ଆର୍ମରୀ ଆକ୍ରମଣ ଏବଂ ଆର୍ . ଉଦୟଗିରି ଜେଲ୍ ଆକ୍ରମଣ ସମେତ ଅନେକ ମାମଲାରେ ତାଙ୍କୁ ଅଭିଯୁକ୍ତ କରାଯାଇଥିଲା। ଦୀର୍ଘଦିନ ଧରି ମାମଲାଗୁଡ଼ିକର ବିଚାର ଶେଷ ନହେବାକୁ ନେଇ ଆଜାଦ ବାରମ୍ବାର ପ୍ରଶ୍ନ ଉଠାଇଥିଲେ ।

ଜେଲ୍ ରେ ଥିବା ସମୟରେ ଦ୍ରୁତ ବିଚାର ଦାବିରେ ସେ ଏକାଧିକ ଥର ଅନଶନ ମଧ୍ୟ କରିଥିଲେ । ୨୦୨୫ ଅକ୍ଟୋବରରେ ମଧ୍ୟ ସେ ଏହି ଦାବିରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆରମ୍ଭ କରିଥିଲେ । ୨୦୨୫ରେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେତେବେଳେ ଓଡ଼ିଶା ସରକାର କୋର୍ଟଙ୍କୁ ଜଣାଇଥିଲେ ଯେ ଆଜାଦ ୧୦ଟି ମାମଲାରେ ଖଲାସ ହୋଇସାରିଥିବା ବେଳେ ୩୭ଟି ମାମଲା ବିଚାରାଧୀନ ଥିଲା । ତାଙ୍କ ବିରୋଧରେ ମାମଲାଗୁଡ଼ିକର ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରାଯାଇପାରିବ କି ନାହିଁ, ସେନେଇ ମଧ୍ୟ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଥିଲେ ।