Live Tv

Live Tv

୧୮ ବର୍ଷ ହେଲା ମିଳୁନି ପେନ୍ସନ୍‌: ୫ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ

ବ୍ରହ୍ମପୁର, ୦୧/୦୮ (ନି.ପ୍ର): ୨୦୦୮ ମସିହାରୁ ଅବସର ଗ୍ରହଣ କରିଥିଲେ ବି ଦୀର୍ଘ ୧୮ ବର୍ଷ ଧରି ଫାଇନାଲ୍ ପେନ୍ସନ୍‌ ପାଇବାରୁ ବଞ୍ଚିତ ଅଛନ୍ତି ଅବସରପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ତୁଳନା ବର୍ଦ୍ଧନ। ଏପରିକି ଆଜି ପର୍ଯ୍ୟନ୍ତ ତାଙ୍କର ପେନ୍ସନ୍ କାଗଜପତ୍ର ଉପରିସ୍ଥ କାର୍ଯ୍ୟାଳୟକୁ ପଠାଯାଇ ନାହିଁ। ଏହାକୁ ନେଇ ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ, ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ୦୫ ତାରିଖରୁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଶାଳ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ୭୪ ବର୍ଷୀୟା ବରିଷ୍ଠ ନାଗରିକ ତୁଳନା ବର୍ଦ୍ଧନ ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ପୀଡ଼ିତ ଥିବା ସତ୍ତ୍ୱେ ନ୍ୟାଯ୍ୟ ପେନ୍ସନ୍ ପାଇଁ ଦୀର୍ଘ ଦିନ ହେବ ହଇରାଣ ହରକତ ହେଉଛନ୍ତି। ଏ ସମ୍ପର୍କରେ ସେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ବହୁବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ ପକ୍ଷରୁ ଗତ ୧୮/୦୭/୨୦୨୬ ତାରିଖରେ ୧୫ ଦିନିଆ ମୋହଲତ ଦିଆଯାଇ CDMOଙ୍କୁ ଚିଠି ଲେଖାଯାଇଥିଲା। ଏହାର ନକଲ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଆରକ୍ଷୀ ଅଧିକାରୀ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା।
ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଲିଖିତ ସମାଧାନର ସୂଚନା ନମିଳିବାରୁ ପୂର୍ବ ନିର୍ଦ୍ଧାରିତ ତାରିଖ ୦୫.୦୮.୨୦୨୬ ରେ ଅବସରପ୍ରାପ୍ତ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ବଡ଼ଧରଣର ଧାରଣା ଦେବାକୁ କାର୍ଯ୍ୟକାରୀ କମିଟି ସଭାରେ ନିଷ୍ପତ୍ତି ନିଆଯାଇଥିବା ସଂଘର ଜିଲ୍ଲା ସଭାପତି ଡି. ମୋହନ ରାଓ ସୂଚନା ଦେଇଛନ୍ତି।