Live Tv

Live Tv

ଓଡ଼ିଶାରେ ମୌସୁମୀ ବର୍ଷାର ରେକର୍ଡ, ସ୍ୱାଭାବିକଠାରୁ ୨୯% ଅଧିକ ବର୍ଷା



 

ଭୁବନେଶ୍ବର: ଚଳିତବର୍ଷ ଓଡ଼ିଶାରେ ଭଲ ବର୍ଷିଛି ମୌସୁମୀ । ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ମୋଟ ୧ ହଜାର ୪୮୪ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ।  ଏହି ସମୟରେ ସ୍ୱାଭାବିକ ବର୍ଷା ପରିମାଣ ୧୧୫୦ ଦଶମିକ ୨ ମିଲିମିଟର ଥିବାବେଳେ ଏଥର ୨୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ଜିଲ୍ଲାଭିତ୍ତିକ ହିସାବରେ ବାଲେଶ୍ୱରରେ ହୋଇଛି ସର୍ବାଧିକ ବର୍ଷା । ମୌସୁମୀର ଚାରି ମାସ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ୧୯୦୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଅନ୍ୟପଟେ ଗଜପତିରେ ସର୍ବନିମ୍ନ ୮୯୬ ଦଶମିକ ୭ ମିଲିମିଟର ବର୍ଷା ହୋଇଛି । ତେବେ ମୋଟ ବର୍ଷା ପରିମାଣ ଏବଂ ସ୍ୱାଭାବିକ ବର୍ଷାଠାରୁ ବିଚ୍ୟୁତି ଏହି ଦୁଇଟି ହିସାବ ଅଲଗା । ମୋଟ ବର୍ଷାରେ ବାଲେଶ୍ୱର ଆଗରେ ଥିବାବେଳେ, ସ୍ୱାଭାବିକ ବର୍ଷା ତୁଳନାରେ ବୌଦ୍ଧରେ ସର୍ବାଧିକ ୭୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ଫଳରେ ବୌଦ୍ଧ ‘ଲାର୍ଜ ଏକ୍ସେସ୍’ ବର୍ଗରେ ରହିଛି ।

ରାଜ୍ୟର ୨୨ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ୭ଟି ଜିଲ୍ଲାରେ ବର୍ଷା ସ୍ୱାଭାବିକ ରହିଛି । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ଝାରସୁଗୁଡ଼ା ସ୍ୱାଭାବିକ ବର୍ଷା ବର୍ଗରେ ରହିଛି ।  ଅର୍ଥାତ୍ ଚଳିତ ମୌସୁମୀରେ ରାଜ୍ୟର କୌଣସି ଜିଲ୍ଲା ବର୍ଷା ଅଭାବ ବର୍ଗରେ ନାହିଁ । ଚଳିତ ମୌସୁମୀରେ ଏକାଧିକ ପାଣିପାଗଜନିତ ବ୍ୟବସ୍ଥା ଓଡ଼ିଶାର ବର୍ଷାକୁ ପ୍ରଭାବିତ କରିଛି ।

ମୋଟ ୧୦ଟି ପାଣିପାଗଜନିତ ବ୍ୟବସ୍ଥା ସୃଷ୍ଟି ହୋଇଥିଲା । ସେଥିମଧ୍ୟରେ ୬ଟି ଲଘୁଚାପ କ୍ଷେତ୍ର, ୩ଟି ଡିପ୍ରେସନ୍ ଏବଂ ଗୋଟିଏ ଡିପ୍ ଡିପ୍ରେସନ୍ ରହିଥିଲା । ସାମଗ୍ରିକ ଭାବେ ଦେଖିଲେ, ଏଥର ମୌସୁମୀ ଓଡ଼ିଶାକୁ ସ୍ୱାଭାବିକଠାରୁ ଯଥେଷ୍ଟ ଅଧିକ ବର୍ଷା ଦେଇଛି । ରାଜ୍ୟର ହାରାହାରି ବର୍ଷା ୨୯ ପ୍ରତିଶତ ଅଧିକ ରହିଥିବାବେଳେ ବାଲେଶ୍ୱରରେ ସର୍ବାଧିକ ଏବଂ ଗଜପତିରେ ସର୍ବନିମ୍ନ ମୋଟ ବର୍ଷା ରେକର୍ଡ ହୋଇଛି ।