କଟକ : ସାର ବାବଦ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଦେବଗଡ଼ ଜିଲ୍ଲା କାଲ୍ଲା ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ୧୬ ଲକ୍ଷ ୭୨ ହଜାର ୫୬୭ ଟଙ୍କା ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି। ଭିଜିଲାନ୍ସର ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଅର୍ଥ ହେରଫେର ହୋଇଥିଲା।
ଘଟଣାର ଯାଞ୍ଚ ସମୟରେ ଶ୍ରୀପତି ପ୍ରଧାନ ସାର ବିକ୍ରି ଓ ଅର୍ଥ କାରବାର ସମ୍ପର୍କିତ ରେଜିଷ୍ଟର, ଲେଜର ଏଣ୍ଟ୍ରି ଏବଂ ଇନ୍ ଭେଣ୍ଟରି ବହିରେ ଜାଲିଆତି କରି ଅନିୟମିତତା ଲୁଚାଇଥିବା ଜଣାପଡ଼ିଥିଲା। ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ସାରକୁ ବେଆଇନ ଭାବେ ବିକ୍ରି କରି ଏହାର ଅର୍ଥକୁ ନିଜସ୍ୱ ବ୍ୟବହାରରେ ଲଗାଇଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି ।
ଫଳରେ ଚାଷୀମାନେ ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଗିରଫ ପରେ ଅଭିଯୁକ୍ତଙ୍କୁ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।
