ପୁରୀ : ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର, ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ । ବହୁଚର୍ଚ୍ଚିତ ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ମାମଲାରେ ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । ପୁରୀ ପୋଲିସ ପାଇଁ ଏହା ଏକ ବଡ଼ ସଫଳତା ବୋଲି କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ । ୨୦୧୯ର ଏହି ଅତ୍ୟନ୍ତ ସମ୍ବେଦନଶୀଳ ମାମଲାର ତଦନ୍ତ ଅତି ସତର୍କତା ଓ ପୁଙ୍ଖାନୁପୁଙ୍ଖ ଭାବେ କରାଯାଇଥିବାରୁ ଶେଷରେ ଦୋଷୀଙ୍କୁ ଦଣ୍ଡ ମିଳିପାରିଛି ବୋଲି କହିଛନ୍ତି ଏସପି ।
ଏସପିଙ୍କ କହିବା ଅନୁସାରେ, ମାମଲାର ଗୁରୁତ୍ୱକୁ ଦେଖି ତତ୍କାଳୀନ ଆଇଆଇସି ତପନ ରାଉତ ସମସ୍ତ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପାଳନ କରି ତଦନ୍ତ କରିଥିଲେ। ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରାଯିବା ସହ ସାକ୍ଷୀମାନଙ୍କ ବୟାନକୁ ସତର୍କତାର ସହ ରେକର୍ଡ କରାଯାଇଥିଲା । ମାମଲା ସହ ସମ୍ପୃକ୍ତ ସାମଗ୍ରୀ ଜବତ କରାଯାଇ ତ୍ୱରିତ ଭାବେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ପକ୍ଷରୁ ବିଚାର ପ୍ରକ୍ରିୟାକୁ ନିୟମିତ ଭାବେ ମନିଟର କରାଯାଇଥିଲା।
ଯାହାର ସୁଫଳ ମିଳିଛି ବୋଲି କହିଛନ୍ତି ପୁରୀ ଏସପି। ଘଟଣାରେ ସମ୍ପୃକ୍ତ ସୁବଳ ବେହେରା, ଶଙ୍କର ବେହେରା, ମିଟୁ ବେହେରା, ପୁନିଆ ବେହେରା ଓ ଚରଣ ବେହେରାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଦେବା ସହ ପ୍ରତ୍ୟେକଙ୍କ ଉପରେ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ବୋଲି କହିଛନ୍ତି ଏସପି। ଗତକାଲି ପୁରୀ ଅତିରିକ୍ତ ଦୌରାଜଜଙ୍କ ଅଦାଲତ ଏହି ରାୟ ଶୁଣାଇଥିଲେ। ଜରିମାନା କରାଯାଇଥିବା ବେଳେ ଜରିମାନା ଅନାଦାୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ। ୨୦୧୯ ଜୁଲାଇ ୧୪ ତାରିଖ ସନ୍ଧ୍ୟା ପ୍ରାୟ ୫ଟାରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାଇକିଆ ଛକରେ ଘଟିଥିଲା ଏହି ଚାଞ୍ଚଲ୍ୟକର ଟ୍ରିପଲ ମର୍ଡର।
ସତ୍ୟବାଦୀ ଥାନା ଅନ୍ତର୍ଗତ ସଦାନନ୍ଦପୁର ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା, ତାଙ୍କ ଭାଇ କୃଷ୍ଣଚନ୍ଦ୍ର ବେହେରା ଓ ସମ୍ପର୍କୀୟ ପାଞ୍ଚୁ ବେହେରାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ବ୍ୟସ୍ତବହୁଳ ଜାତୀୟ ରାଜପଥ ଏବଂ ରଥଯାତ୍ରା ପାଇଁ ହୋଇଥିବା ପୋଲିସ ଚେକ୍ ପୋଷ୍ଟ ନିକଟରେ ଏଭଳି ତିନି ଜଣଙ୍କୁ ହତ୍ୟା କରାଯିବା ଘଟଣା ସେତେବେଳେ ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମୃତ ଦୁଇ ଭାଇ ପୂର୍ବତନ ସ୍ଥାନୀୟ ସରପଞ୍ଚ ଅଜୟ ବେହେରାଙ୍କ ଭାଇ ଥିଲେ। ହତ୍ୟାକାଣ୍ଡ ପରେ ଉତ୍ତେଜନା ବଢ଼ିଥିଲା ଏବଂ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାର ପ୍ରତିକ୍ରିୟା ଓଡ଼ିଶା ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଥିଲା ।
ପୋଲିସ ଓ ପ୍ରସିକ୍ୟୁସନ୍ ଅନୁସାରେ, ସଦାନନ୍ଦପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନର ଜମିବାଡ଼ି ଓ ସମ୍ପତ୍ତି ବିବାଦ ସହ ପାରିବାରିକ ଶତ୍ରୁତା ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ଥିଲା। ପୂର୍ବରୁ ମଧ୍ୟ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଘଟଣା ପରେ ସତ୍ୟବାଦୀ ଥାନାରେ କେସ୍ ନମ୍ବର ୧୧୪/୧୯ ରୁଜୁ ହୋଇଥିଲା। ପଟ୍ଟନାଇକିଆ ଛକର ସିସିଟିଭି ଫୁଟେଜ୍ , ବୈଜ୍ଞାନିକ ପ୍ରମାଣ, ସାକ୍ଷୀଙ୍କ ବୟାନ ଓ ଜବତ ସାମଗ୍ରୀକୁ ଆଧାର କରି ପୋଲିସ ତଦନ୍ତ ଆଗକୁ ବଢ଼ାଇଥିଲା।
ତଦନ୍ତ କ୍ରମରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଥିଲା। ସାତ ବର୍ଷ ଧରି ଚାଲିଥିବା ବିଚାର ପ୍ରକ୍ରିୟା ପରେ ଶେଷରେ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ। ୨୦୧୯ରେ ପୁରୀ ଜିଲ୍ଲା ସମେତ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ହାଇପ୍ରୋଫାଇଲ୍ ଟ୍ରିପଲ ମର୍ଡର ମାମଲାରେ ଏହି ରାୟକୁ ପୁରୀ ପୋଲିସ ଏକ ବଡ଼ ସଫଳତା ବୋଲି କହିଛି।
