କନ୍ଧମାଳ: ଜନ୍ମାଷ୍ଟମୀ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଜଲେଶପଟା କନ୍ୟାଶ୍ରମ ଓ ଚକାପାଦ ଆଶ୍ରମରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ । ଆଜି ପବିତ୍ର ଜନ୍ମାଷ୍ଟମୀ । ଚକାପାଦରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମ ଓ ତୁମୁଡିବନ୍ଧ ଜଲେଶପଟ୍ଟା କନ୍ୟାଶ୍ରମରେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଓ ବଳିଦାନ ଦିବସ । ଏଥିପାଇଁ ଆଶ୍ରମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅନ୍ତେବାସୀମାନେ ଆଶ୍ରମ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଛନ୍ତି । ସ୍ୱାମୀଜୀଙ୍କ ବଳିଦାନ କକ୍ଷ, ପ୍ରତିମୂର୍ତ୍ତି, ଯଜ୍ଞ ମଣ୍ଡପ ସମେତ ପ୍ରତିଟି ସ୍ଥାନକୁ ସୁସଜ୍ଜିତ କରିଛନ୍ତି ।
ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଅବସରରେ କଳସ ଯାତ୍ରା, ଗୋପୂଜନ, ନାମଯଜ୍ଞ, ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଜଳାଭିଷେକ ଓ ସ୍ମୃତି ସଭା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଗାଡ଼ି ମୋଟର ଯାଞ୍ଚ କରାଯାଉଛି । ଜଲେଶପଟା କନ୍ୟାଶ୍ରମ ଓ ଚକାପାଦ ଆଶ୍ରମରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ୨ ଜଣ ଆଡିସିନାଲ ଏସପି, ୩ ଜଣ ଡି ଏସପି, ଜଣେ ଏଏସପି ରାଙ୍କର ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।