ପୁରୀ: ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାପର ଲୀଳା । ନିଜେ ଦେବକୀ ସାଜି ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେବେ ମହାପ୍ରଭୁ ଜଗନ୍ନାଥ। ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ସ୍ୱତନ୍ତ୍ର ନୀତି । ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବେ। ସେଥିପାଇଁ ମନ୍ଦିର ଗୁଡିକରେ ବିଶେଷ ପୂଜାନୀତିର ଆୟୋଜନ କରାଯାଉଛି । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯିବ । ସନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଜନ୍ମଚକଡାରେ ଶ୍ରୀକୃଷ୍ଣଙ୍କୁ ଜନ୍ମନୀତି ସମ୍ପନ୍ନ କରିବେ । ମହାପ୍ରଭୁ ସ୍ୱୟଂ ନିଜେ ଏଠାରେ ମାତା, ପିତା ଏବଂ ପୁତ୍ର । ୨ ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ରୂପ ନେବା ପରେ ଏହି ଜନ୍ମବିଧି ପାଳନ ହୋଇଥାଏ ।
ଏହି ଗୁପ୍ତ ନୀତି କେହି ନଦେଖିବା ପାଇଁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାର ବନ୍ଦ କରାଯାଏ । ସୁବର୍ଣ୍ଣ ମୂର୍ତ୍ତିଙ୍କୁ ମଣ୍ଡଳ ଉପରେ ବିଜେ କରାଯିବା ସହ ଚକଡ଼ା, ଛାମୁରେ ପନ୍ତିଭୋଗ ବଢାଯାଏ । ମହାପ୍ରଭୁଙ୍କ ବାଡ଼ରୁ ମୁଦିରସ୍ତ ମଦନମୋହନଙ୍କୁ ପ୍ରସାଦ ଆଜ୍ଞାମାଳ ଦେବା ପରେ ମହାଜନ ମଦନମୋହନଙ୍କୁ ହାତରେ ଧରି ଜନ୍ମ ତକଡ଼ାକୁ ବିଜେ କରିଥାନ୍ତି । ମୁଦିରସ୍ଥ ପ୍ରସାଦ ଲାଗି ହେବା ପରେ ମହାଜନ ସେବକ ରୁପା ଥାଳିରେ ଶ୍ରୀକୃଷ୍ଣଙ୍କୁ ଦେବକୀ ଓ ବସୁଦେବଙ୍କ ସହ ଜଗମୋହନ ଦେଇ ସରସ୍ୱତୀ ମନ୍ଦିର ନିକଟ ସମୁଦ୍ର ନଦୀତଟକୁ ବିଜେ କରାଇଥାଆନ୍ତି । ପୂଜାପଣ୍ଡା ସେବକ ଉଗ୍ରସେନ ବେଶରେ ଭେଟ ହୋଇ ଯମୁନା ନଦୀ କୂଳରେ ଦଣ୍ଡ ପ୍ରଣାମ କରିବାର ବିଧି ରହିଛି ।
