ଖଜୁରୀପଡ଼ା:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଜୁରୀପଡ଼ାଠାରେ ଗୁରୁବାର ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି ଏବଂ ବିଦ୍ୟାଳୟର ସର୍ବାଙ୍ଗୀଣ ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପ୍ରୟାସର ଅଂଶବିଶେଷ ଭାବେ ଏହି ବୈଠକର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଜୟ କୁମାର ସାହୁ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ରହିଥିଲେ। ଏଥିସହିତ ପିଏମ୍ ଶ୍ରୀ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ କମିଟିର ସଦସ୍ୟ-ସଦସ୍ୟା, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବହୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଯୋଗଦେଇଥିଲେ।ବୈଠକରେ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀରେ ଉନ୍ନତି, ଛାତ୍ରଛାତ୍ରୀଙ୍କ ପାଠପଢ଼ାର ମାନ ବୃଦ୍ଧି, ଶୃଙ୍ଖଳା, ଉପସ୍ଥାନ ଏବଂ ବିଦ୍ୟାଳୟର ଭିତ୍ତିଭୂମି ସମେତ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପିଲାମାନଙ୍କ ଶିକ୍ଷାଗତ ଉନ୍ନତି ପାଇଁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଅଭିଭାବକମାନଙ୍କ ସକ୍ରିୟ ସହଯୋଗ ଓ ନିୟମିତ ଯୋଗାଯୋଗର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ତେବେ ବୈଠକରେ କିଛି ଛାତ୍ରଛାତ୍ରୀଙ୍କ ଅଭିଭାବକ ଉପସ୍ଥିତ ନ ରହିବା ଏକ ଚିନ୍ତାର ବିଷୟ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଓ ଶିକ୍ଷାର ମାନ ବୃଦ୍ଧି ପାଇଁ ବିଦ୍ୟାଳୟ ପରିଚାଳନା ସହ ଅଭିଭାବକଙ୍କ ସହଭାଗିତା ଅତ୍ୟନ୍ତ ଜରୁରୀ। ତେଣୁ ଆଗାମୀ ଦିନରେ ସମସ୍ତ ଅଭିଭାବକ ବିଦ୍ୟାଳୟର ବୈଠକରେ ଯୋଗଦେଇ ପିଲାମାନଙ୍କ ଶିକ୍ଷାଗତ ଉନ୍ନତି ଦିଗରେ ସହଯୋଗ କରିବା ଆବଶ୍ୟକ।ବିଦ୍ୟାଳୟର ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ପରିଚାଳନା କମିଟିର ମିଳିତ ପ୍ରୟାସ ହିଁ ସଫଳତାର ମୁଖ୍ୟ ଆଧାର ବୋଲି ଏହି ବୈଠକର ଉଦ୍ଦେଶ୍ୟରୁ ସ୍ପଷ୍ଟ ହୋଇଛି।
