ଖଜୁରୀପଡ଼ା:ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ତୁଡ଼ିପାଜୁଠାରେ ସୋମବାର ଅପରାହ୍ନ ୪ଟା ସମୟରେ ବିଦ୍ୟାଳୟର ନବମ ଶ୍ରେଣୀର ୪୫ ଛାତ୍ରଛାତ୍ରୀଙ୍କ ଦ୍ୱାରା ମଡେଲ୍ ଯୁବ ଗ୍ରାମସଭା (Model Youth Gram Sabha) ଆୟୋଜିତ ହୋଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତୁଡ଼ିପାଜୁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କୌଶଲ୍ୟା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ନାଏବ ସରପଞ୍ଚ ଶ୍ରୀ ବିରାଜ ବେହେରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗ୍ରାମସଭାର ଢାଞ୍ଚାରେ ବିଭିନ୍ନ ବିଷୟ ଉପସ୍ଥାପନ କରି ଗଣତାନ୍ତ୍ରିକ ବ୍ୟବସ୍ଥା, ଗ୍ରାମ ପଞ୍ଚାୟତର କାର୍ଯ୍ୟ ପ୍ରଣାଳୀ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସମ୍ପର୍କରେ ନିଜର ଧାରଣା ନାଟକୀୟ ଢ଼ଙ୍ଗରେ ସୁନ୍ଦର ସଂଳାପ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଏହି ମଡେଲ୍ ଗ୍ରାମସଭା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ, ଦାୟିତ୍ୱବୋଧ, ଜନସହଭାଗିତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଏକ ଘଣ୍ଟାର କାର୍ଯ୍ୟକ୍ରମ ନୋଡାଲ୍ ଶିକ୍ଷକ ଶ୍ରୀ କବିରାଜ ସେଠୀଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ମଡେଲ୍ ଯୁବ ଗ୍ରାମସଭା ପରିଚାଳନା କରିଥିଲେ। ଶେଷରେ ଉପାଧ୍ୟକ୍ଷ ଶ୍ରୀ ପଞ୍ଚାନନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଆୟୋଜନ ଛାତ୍ରଛାତ୍ରୀଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟା ଓ ଗ୍ରାମୀଣ ବିକାଶରେ ନାଗରିକଙ୍କ ଭୂମିକା ସମ୍ପର୍କରେ ସଚେତନ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା।
