Live Tv

Live Tv

ସଙ୍କଟରେ ହନୁମାନ ଚାଳିଶା ପଢୁଥିଲି, ମାଡ଼ ଖାଉଥିଲି କିନ୍ତୁ ସମସ୍ତଙ୍କୁ ମରିବାକୁ ଛାଡ଼ିନଥାନ୍ତି : ସ୍ମିତ ମାଚ୍ଛର

 ନୂଆଦିଲ୍ଲୀ : ଫ୍ଲାଇଦୁବାଇ କ୍ୟାପଟେନ ସ୍ମିତ ମାଚ୍ଛରକୁ ସମଗ୍ର ବିଶ୍ବ ପ୍ରଶଂସା କରୁଛି । ଆମେରିକା ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତ୍ୟାନହୁ ତାଙ୍କ ସାହସଙ୍କୁ ପ୍ରଶଂସା କରିଛନ୍ତି । ଏବେ ସ୍ମିତ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ଭାରତ ତାଙ୍କର ସୁସ୍ଥତା କାମନା କରୁଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ସ୍ମିତଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି ।


ପ୍ରଧାନମନ୍ତ୍ରୀ ମୋଦି ସ୍ମିତଙ୍କୁ କହିଛନ୍ତି, ତୁମେ ସାରା ଦେଶକୁ ଗର୍ବିତ କରିଛ, ବିଶ୍ୱକୁ ଦେଖାଇଛ ଅହିଂସାର ବାର୍ତ୍ତା । ବିପଦପୂର୍ଣ୍ଣ ପରିସ୍ଥିତିରେ ଅଦମ୍ୟ ସାହସ ଦେଖାଇ ଅନେକ ଜୀବନ ବଞ୍ଚାଇଥିବା ଫ୍ଲାଇଦୁବାଇ ବିମାନର ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିତ । ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ କର୍ତ୍ତବ୍ୟନିଷ୍ଠା ଓ ସାହସକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସାରା ବିଶ୍ୱ ଆଗରେ ଅହିଂସାର ପ୍ରକୃତ ଉଦାହରଣ ଉପସ୍ଥାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ କ୍ୟାପଟେନ ସ୍ମିତ ଭାବବିହ୍ୱଳ ହୋଇପଡ଼ିଥିଲେ । ମୋଦି ତାଙ୍କର ସବୁଠାରୁ ବଡ଼ ଆଦର୍ଶ ବୋଲି କହିଥିଲେ । ଘଟଣା ସମ୍ପର୍କରେ ବର୍ଣ୍ଣନା କରି ସ୍ମିତ କହିଛନ୍ତି, ଯେତେବେଳେ ଆହତ ହୋଇଥିଲେ, କାର୍ଯ୍ୟ କରିବାକୁ ନିଜକୁ ବୁଝାଇ ଥିଲେ । ସମସ୍ତ ଯନ୍ତ୍ରଣା ସତ୍ତ୍ୱେ ଆଗେଇ ଯାଇ କକ୍ ପିଟ୍ ର କବାଟ ଖୋଲିବାରେ ସଫଳ ହୋଇଥିଲେ ବୋଲି ସ୍ମିତ କହିଛନ୍ତି ।

ସ୍ମିତଙ୍କ କହିବାନୁଯାୟୀ, ଯେତେବେଳେ ବି ସେ କଷ୍ଟରେ ଥାଆନ୍ତି, ସେତେବେଳେ ହନୁମାନ ଚାଳିଶା ପାଠ କରନ୍ତି । ସେହି ଦୁର୍ଘଟଣା ସମୟରେ ମଧ୍ୟ ସେ କେବଳ ହନୁମାନ ଚାଳିଶା ହିଁ ଜପ କରୁଥିଲେ । ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାର ସୁଯୋଗ ପାଇବେ ବୋଲି କେବେ ଭାବି ନ ଥିଲେ ବୋଲି ସ୍ମିତ କହିଛନ୍ତି । ପ୍ରଧାନମନ୍ତ୍ରୀ କ୍ୟାପଟେନ ସ୍ମିତଙ୍କ ପରିବାରବର୍ଗଙ୍କ ଧୈର୍ଯ୍ୟ ଏବଂ ମନୋବଳକୁ ପ୍ରଶଂସା କରିଥିଲେ ।

ମୋଦି କହିଥିଲେ, ସମଗ୍ର ଭାରତ ଆପଣଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛି। ଆପଣଙ୍କ ଆରୋଗ୍ୟ କାମନା କରି ଗତକାଲି ଦେଶବ୍ୟାପୀ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା । କ୍ୟାପଟେନଙ୍କ ଉପଯୁକ୍ତ ଚିକିତ୍ସା ତଥା ଯତ୍ନ ନେଇଥିବାରୁ ସାଉଦି ଆରବ ଏବଂ ୟୁଏଇ ସରକାରଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।