ଲକ୍ଷ୍ନୌ : ଆଇଏଏସ ଚାକିରିରୁ ଇସ୍ତଫା ଦେବା ପରେ ପୂର୍ବତନ ଅଧିକାରୀ ଦିବ୍ୟା ମିତ୍ତଲ ରାଜନୀତିରେ ପାଦ ଦେବାକୁ ଘୋଷଣା କରିଛନ୍ତି । ସେ କୌଣସି ରାଜନୈତିକ ଦଳରେ ମିଶିବେ ନାହିଁ ବରଂ ନିଜେ ପାର୍ଟି ଗଠନ କରିବେ ବୋଲି କହିଛନ୍ତି । ଏପରିକି ସେ ନିଜ ପାର୍ଟିର ନାଁ ମଧ୍ୟ ଘୋଷଣା କରିଛନ୍ତି । ଆଉ ଏହି ପାର୍ଟିର ନାଁ ହେଉଛି ‘ଜନ ନୀତି ଭାରତ’।
ସୋସିଆଲ୍ ମିଡିଆରେ ଲାଇଭ ଆସି ରାଜନୀତିରେ ନୂଆ ଇନିଂସ ଗଢୁଥିବା ସୂଚନା ଦେବା ସହ ନିଜ ପାର୍ଟିର ନାଁ ଘୋଷଣା କରିଛନ୍ତି । ସେ କହିଛନ୍ତି, ତାଙ୍କର ପାର୍ଟି ଜନ ନୀତି ଭାରତ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଜନତାଙ୍କୁ ସିଧାସଳଖ ନିର୍ଣ୍ଣୟ ପ୍ରକ୍ରିୟାରେ ଯୋଡ଼ିବା ଏବଂ ସେମାନଙ୍କର ଭାଗିଦାରୀ ବଢାଇବା।
ଦେଶ ନୀତିର କେନ୍ଦ୍ରରେ ଜନତାଙ୍କୁ ରଖିବା ଏବଂ ସେମାନଙ୍କ ବାସ୍ତବିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯିବ ବୋଲି ପୂର୍ବତନ ଆଇଏଏସ କହିଛନ୍ତି । କୃଷକ ଏବଂ ଛୋଟ ବ୍ୟବସାୟୀଙ୍କ ସଂପର୍କିତ ସମସ୍ୟାର ସମାଧାନକୁ ଗୁରୁତ୍ଵ ଦିଆଯିବ । ପ୍ରତ୍ୟେକ ଉନ୍ନତିମୂଳକ କାମ ଏବଂ ପ୍ରଶାସନିକ ନିଷ୍ପତ୍ତି ଜାତି, ଧର୍ମ କିମ୍ବା ପରିଚୟ ଦେଖି ନିଆଯିବ ନାହିଁ । ସମସ୍ତ ଜନତାଙ୍କ ବାସ୍ତବିକ ଆବଶ୍ୟକତା ଆଧାରରେ ନିଷ୍ପତ୍ତି ନିଆଯିବ ।
ଦିବ୍ୟା ମିତ୍ତଲ ସ୍ପଷ୍ଟ କରିଛନ୍ତି, ଏହି ଲଢେଇ କୌଣସି ବଡ଼ ବିଜ୍ଞାପନ କିମ୍ବା ଅର୍ଥରେ ହେବ ନାହିଁ ବରଂ ଘର ଘର ଯାଇ ଲଢାଯିବ । ସେ ଜନତାଙ୍କୁ ଆହ୍ଵାନ କରିଛନ୍ତି ଯେ, ଏହି ଅଭିଯାନରେ ଜଡ଼ିତ ହୋଇ ସନ୍ଦେଶ ଦିଅନ୍ତୁ ଯେ, ରାଜନୀତି ନୁହେଁ ଜନନୀତିରେ କାମ ହେବ । ମହିଳାଙ୍କ ସୁରକ୍ଷା ଏବଂ ସ୍ଥାନୀୟ ବିକାଶ କାର୍ଯ୍ୟରେ ସିଧାସଳଖ ଯୋଡି ହେବେ । ସରକାରୀ ଯୋଜନା, ବଜେଟ ଏବଂ ବିକାଶ କାର୍ଯ୍ୟର ବିବରଣୀ ସିଧାସଳଖ ଭାବେ ଜନତାଙ୍କ ମୋବାଇଲରେ ଉପଲବ୍ଧ ହେବ । ସ୍କୁଲ, ହସପିଟାଲ ଏବଂ ରାସ୍ତା ସ୍ଥିତିକୁ ନୀଳ, ହଳଦିଆ ଏବଂ ଲାଲରଙ୍ଗ ମାଧ୍ୟମରେ ରେଟିଂ ଦେଇ ନିଜେ ମୂଲ୍ୟାଙ୍କନ କରିବାକୁ ହେବ । ତେବେ ଏହାକୁ ନେଇ ଦିବ୍ୟା କହିଛନ୍ତି, ଏହି ଲଢେଇ କୌଣସି ବଡ଼ ବିଜ୍ଞାପନ କି ପଇସା ପାଇଁ ନୁହେଁ, ବରଂ ଘରକୁ ଘର ଯାଇ ଲଢେଇ କରାଯିବ ।
