ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି । ପଶ୍ଚିମା ଝଡ଼ର ପ୍ରଭାବରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇଛି । ଆଜି ମଧ୍ୟ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ଓ କୁଆପଥର ବୃଷ୍ଟି ନେଇ ସତର୍କତା ଜାରି ହୋଇଛି ।
ଉତ୍ତରାଖଣ୍ଡର ୮ଟି ଜିଲ୍ଲାରେ ଆଜି ବର୍ଷା ଆଲର୍ଟ ଜାରି ହୋଇଛି । କେଦାରନାଥ, ଚୋପତା, ହେମକୁଣ୍ଡ ସାହିବ ଓ ବଦ୍ରିନାଥର ପାର୍ବତ୍ୟ ଅଞ୍ଚଳରେ ତୁଷାରପାତ ହୋଇଥିଲା । ଶୁକ୍ରବାର ସକାଳେ କେଦାରନାଥରେ ତାପମାତ୍ରା ମାଇନସ୍ ୬ ଡିଗ୍ରୀ ଏବଂ ବଦ୍ରିନାଥରେ ମାଇନସ୍ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ଉତ୍ତରପ୍ରଦେଶରେ ପାଣିପାଗ ବିଭାଗ ଆଜି ୩୭ଟି ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରି କରିଛି । ଅନେକ ଅଞ୍ଚଳରେ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି । ମଧ୍ୟପ୍ରଦେଶର ଉପରିଭାଗରେ ପଶ୍ଚିମା ଝଡ଼ ଓ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଗ୍ୱାଲିୟର, ଚମ୍ବଲ, ଉଜ୍ଜୈନ, ସାଗର ଓ ରେୱା ଡିଭିଜନରେ ପାଣିପାଗରେ ପରିବର୍ତ୍ତନ ଜାରି ରହିବ ।
ଗୁରୁବାର ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁଁ ଅନେକ ରାସ୍ତାରେ ପାଣି ଜମିଯାଇଥିଲା । ହିମାଚଳପ୍ରଦେଶର ମନାଲିରେ ଅଟଳ ଟନେଲ ନିକଟରେ ତୁଷାରପାତ ହୋଇଥିଲା । ଏଠାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୯.୯ ଡିଗ୍ରୀ ହ୍ରାସ ପାଇ ୧୧.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା ।
