ନୂଆଦିଲ୍ଲୀ: ଦୁବାଇରୁ ଇସ୍ରାଏଲର ତେଲ୍ ଅଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନକୁ ଅପହରଣ କରି ଦୁର୍ଘଟଣା ଘଟାଇବା ଅଭିଯୋଗର ତଦନ୍ତରେ ନୂଆ ମୋଡ଼ ଆସିଛି । ଏହି ଘଟଣା ସହ ସମ୍ପୃକ୍ତି ସନ୍ଦେହରେ ମାଳଦ୍ୱୀପର ଆଉ ଦୁଇଜଣ ପାଇଲଟଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ ବା UAEରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଉଭୟ ଫ୍ଲାଏଦୁବାଇ ବିମାନ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣାପଡିଛି ।
ଏକ ରିପୋର୍ଟ ଅନୁସାରେ, ଅକ୍ଟୋବର ୩ ତାରିଖରେ ଉଭୟ ପାଇଲଟଙ୍କୁ UAE ପୋଲିସ ହେପାଜତକୁ ନେଇଥିଲା । ସେମାନଙ୍କୁ ଅଟକ ରଖାଯିବା ସମ୍ପର୍କରେ UAEରେ ଥିବା ମାଳଦ୍ୱୀପ ଦୂତାବାସ ପରିବାର ସଦସ୍ୟଙ୍କୁ ଅବଗତ କରାଇଥିବା କୁହାଯାଇଛି । ତେବେ UAE କର୍ତ୍ତୃପକ୍ଷ ଏହି ଦୁଇ ପାଇଲଟଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା ପ୍ରମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ବିବରଣୀ ଦେଇନାହାନ୍ତି । ସେପ୍ଟେମ୍ବର ୩୦ ତାରିଖରେ ଫ୍ଲାଏଦୁବାଇର FZ1073 ବିମାନରେ ଘଟିଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଓମାନର ୨୯ ବର୍ଷୀୟ କୋ-ପାଇଲଟ୍ ହମ୍ମାମ ଅଲ୍-ହମ୍ମାମି । ମାଳଦ୍ୱୀପର ମିହାରୁ ଖବରକାଗଜ ଅନୁସାରେ, ଅଟକ ଥିବା ଦୁଇ ପାଇଲଟ୍ ଅଲ୍-ହମ୍ମାମିଙ୍କ ସହ କାର୍ଯ୍ୟସ୍ଥଳରେ ମିଳାମିଶା କରୁଥିଲେ । ସେମାନେ ଗୋଟିଏ ଆବାସିକ କୋଠାରେ ରହୁଥିବା ମଧ୍ୟ ରିପୋର୍ଟ ହୋଇଛି । ଷଡ଼ଯନ୍ତ୍ରରେ ଦୁଇ ପାଇଲଟଙ୍କ ସମ୍ପୃକ୍ତି ଥିବା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ।
ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍ ଅଭିଭ୍ ଅଭିମୁଖେ ଯାଉଥିବା FZ1073 ବିମାନରେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମାଛରଙ୍କ ଉପରେ ଆକ୍ରମଣ ହୋଇଥିଲା । ଅଭିଯୋଗ ଅନୁସାରେ, କୋ-ପାଇଲଟ୍ ଅଲ୍-ହମ୍ମାମି କକ୍ ପିଟ୍ ରେ କ୍ୟାପଟେନଙ୍କୁ କୁରାଢ଼ି ଭଳି ଧାରୁଆ ଉପକରଣରେ ଆକ୍ରମଣ କରିଥିଲେ । ତାଙ୍କ ଉଦ୍ଦେଶ୍ୟ ବିମାନର ନିୟନ୍ତ୍ରଣ ନେଇ ଏହାକୁ ଦୁର୍ଘଟଣାଗ୍ରସ୍ତ କରାଇବା ଥିଲା ବୋଲି ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି । ଆକ୍ରମଣରେ କ୍ୟାପଟେନ୍ ସ୍ମିତ୍ ଗୁରୁତର ଆହତ ହୋଇଥିଲେ ମଧ୍ୟ ପ୍ରତିରୋଧ କରିଥିଲେ । ପରେ ବିମାନ କର୍ମଚାରୀ ଓ ଯାତ୍ରୀଙ୍କ ସହାୟତାରେ ଅଭିଯୁକ୍ତ କୋ-ପାଇଲଟଙ୍କୁ କାବୁ କରାଯାଇଥିଲା । ଶେଷରେ ବିମାନଟି ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। UAE କର୍ତ୍ତୃପକ୍ଷ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ଭାବେ ତଦନ୍ତ କରୁଛନ୍ତି । ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅଭିଯୁକ୍ତ ଅଲ୍-ହମ୍ମାମିଙ୍କ ସମ୍ଭାବ୍ୟ ଉଗ୍ରବାଦୀ ଚିନ୍ତାଧାରା, ପୂର୍ବ ସମ୍ପର୍କ ଏବଂ ବିମାନ ଚଳାଚଳ ସମ୍ପର୍କିତ ତଥ୍ୟ ଯାଞ୍ଚ କରୁଛନ୍ତି । ରିପୋର୍ଟ ଅନୁସାରେ, ଓମାନ କର୍ତ୍ତୃପକ୍ଷ ପୂର୍ବରୁ ଅଲ୍-ହମ୍ମାମିଙ୍କୁ ପାଇଲଟ୍ ଲାଇସେନ୍ସ ପାଇବାରୁ ବାରଣ କରିଥିଲେ । ଏହା ସତ୍ତ୍ୱେ ସେ କିପରି ଫ୍ଲାଏଦୁବାଇରେ ନିଯୁକ୍ତି ପାଇଲେ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ତଦନ୍ତରେ ତାଙ୍କର ଅନ୍ୟ ବ୍ୟକ୍ତିଙ୍କ ସହ ସମ୍ପର୍କ, ଡିଜିଟାଲ୍ ଯୋଗାଯୋଗ ଏବଂ ଏହି ଆକ୍ରମଣ ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିଲା କି ନାହିଁ, ତାହା ଖୋଜାଯାଉଛି ।
