ଫୁଲବାଣୀ:“ଆମ ଅଙ୍ଗନବାଡ଼ି – ଆମର ଦାୟିତ୍ୱ” ବାର୍ତ୍ତାକୁ ନେଇ ବାଲ ରକ୍ଷା ଭାରତ (BRB), ସମନ୍ୱିତ ଶିଶୁ ବିକାଶ ସେବା (ICDS) ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର କେ. ନୂଆଗାଁ ଓ ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ପୋଷଣ ମାସ ପାଳନ କରାଯାଇଥିଲା।ସେପ୍ଟେମ୍ବର ୯ ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ଏହି ଅଭିଯାନରେ ୪୪ଟି ସ୍ଥାନରେ ୨,୦୦୦ରୁ ଅଧିକ ଗର୍ଭବତୀ ମହିଳା, ପ୍ରସୂତି ମା’, ଅଭିଭାବକ ଓ କିଶୋରୀ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ସନ୍ତୁଳିତ ଖାଦ୍ୟ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ସ୍ତନ୍ୟପାନ, ଗର୍ଭାବସ୍ଥାରେ ଯତ୍ନ, ଶିଶୁର ଜୀବନର ପ୍ରଥମ ୧,୦୦୦ ଦିନ, କିଶୋରୀମାନଙ୍କ ପୋଷଣ ଏବଂ ରକ୍ତହୀନତା ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ପୋଷଣ ବାର୍ତ୍ତା, କୁଇଜ୍, ସ୍ଲୋଗାନ୍ ଓ ଅନ୍ୟାନ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ପୋଷଣର ଗୁରୁତ୍ୱ ବିଷୟରେ ଅବଗତ କରାଯାଇଥିଲା। କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।ଏହି ଅଭିଯାନକୁ ସଫଳ କରିବାରେ ବାଲ ରକ୍ଷା ଭାରତର କର୍ମୀ, ସ୍ୱାସ୍ଥ୍ୟ ବିଭାଗର ସି ଏଚ ଓ ଓ ସ୍ୱାସ୍ଥ୍ୟକର୍ମୀ, ସମ୍ମନିତ ଶିଶୁ ବିକାଶ ବିଭାଗର ର ସିଡିପିଓ , ମଣ୍ଡଳ ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ ଏବଂ ଆଶା କର୍ମୀମାନଙ୍କର ସକ୍ରିୟ ସହଯୋଗ ରହିଥିଲା।ଏହି ମିଳିତ ପ୍ରୟାସ ମାଧ୍ୟମରେ ମାତୃ ଓ ଶିଶୁ ପୋଷଣ ସମ୍ପର୍କିତ ସଚେତନତା ବୃଦ୍ଧି ସହ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତି ସମୁଦାୟର ଦାୟିତ୍ୱବୋଧ ଓ ସହଭାଗିତାକୁ ସୁଦୃଢ଼ କରିବାର ବାର୍ତ୍ତା ଦିଆଯାଇଥିଲା।
