Live Tv

Live Tv

କାହିଁକି ହଠାତ୍ ଇଣ୍ଡୋନେସିଆ ଆକାଶ ହେଇଗଲା ନିଆଁ ପିଣ୍ଡୁଳା

 fire

ଇଣ୍ଡୋନେସିଆ: ଜଳୁଛି ଜଙ୍ଗଲ… ଧୂଆଁରେ ଢାଙ୍କି ହେଉଛି ଆକାଶ… ଆଉ ଧୀରେ ଧୀରେ ଗମ୍ଭୀର ହେଉଛି ପରିସ୍ଥିତି! ଇଣ୍ଡୋନେସିଆର ସୁମାତ୍ରା ଓ କାଲିମାନ୍ତାନ ଦ୍ୱୀପରେ ଜଙ୍ଗଲ ନିଆଁ ଏବେ ବଡ଼ ବିପଦର କାରଣ ପାଲଟିଛି। ନିଆଁରୁ ବାହାରୁଥିବା ବିଷାକ୍ତ ଧୂଆଁ ଏବେ ଦେଶର ସୀମା ଡେଇଁ ମାଲେସିଆ ଓ ସିଙ୍ଗାପୁର ପର୍ଯ୍ୟନ୍ତ ପହଞ୍ଚୁଛି। ବିପନ୍ନ ହେଉଛି ମଣିଷର ସ୍ୱାସ୍ଥ୍ୟ, ନଷ୍ଟ ହେଉଛି ବନ୍ୟଜନ୍ତୁଙ୍କ ବାସସ୍ଥାନ। ଅଲ୍‌-ନିନୋର ପ୍ରଭାବ, ମରୁଡ଼ି ଓ ଜଙ୍ଗଲ ସଫା କରିବା ପାଇଁ ନିଆଁ ଲଗାଇବା ଭଳି କାରଣ ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ନିଆଁ ଲିଭାଇବାକୁ ଆକାଶମାର୍ଗରୁ ଚାଲିଛି ପାଣି ବର୍ଷା। ହେଲେ ପ୍ରଶ୍ନ ଉଠୁଛି, କେବେ ଆୟତ୍ତକୁ ଆସିବ ଏହି ଭୟଙ୍କର ଜଙ୍ଗଲ ନିଆଁ?

ଇଣ୍ଡୋନେସିଆର ଘଞ୍ଚ ଜଙ୍ଗଲରେ ଲାଗିଛି ନିଆଁ। ସୁମାତ୍ରା ଓ କାଲିମାନ୍ତାନ ଦ୍ୱୀପର ବିଭିନ୍ନ ଅଞ୍ଚଳରେ ନିଆଁ ବ୍ୟାପିବା ସହ ଆକାଶରେ ଛାଇଯାଇଛି ଘନ ଧୂଆଁର ଆସ୍ତରଣ। ଜଙ୍ଗଲରୁ ଉଠୁଥିବା ଧୂଆଁ ଏବେ ସୀମା ଡେଇଁ ମାଲେସିଆ ଓ ସିଙ୍ଗାପୁରରେ ମଧ୍ୟ ବାୟୁ ପ୍ରଦୂଷଣର ଆଶଙ୍କା ବଢ଼ାଇଛି। ପରିବେଶରେ ବଢ଼ୁଥିବା ଧୂଆଁ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି।

ଜଙ୍ଗଲ ନିଆଁ ପଛରେ ପ୍ରାକୃତିକ ଓ ମାନବୀୟ କାରଣ ଉଭୟ ରହିଛି। ଅଲ୍‌-ନିନୋ ପ୍ରଭାବରେ ପାଣିପାଗର ସାଧାରଣ ଧାରା ବଦଳିବା ସହ କେତେକ ଅଞ୍ଚଳରେ ବର୍ଷା କମିବା ଓ ତାପମାତ୍ରା ବଢ଼ିବାର ଆଶଙ୍କା ରହିଥାଏ। ଦୀର୍ଘ ସମୟ ଧରି ବର୍ଷା ନହେବା ଫଳରେ ଶୁଖିଯାଏ ଗଛଲତା ଓ ମାଟି। ଏଭଳି ପରିସ୍ଥିତିରେ ଥରେ ନିଆଁ ଲାଗିଲେ ତାହା ଦ୍ରୁତଗତିରେ ବ୍ୟାପି ଭୟଙ୍କର ରୂପ ନେଇପାରେ। ତେବେ ଜଙ୍ଗଲ ସଫା କରିବା ପାଇଁ ନିଆଁ ଲଗାଇବା ମଧ୍ୟ ଏହି ସଙ୍କଟର ଅନ୍ୟତମ କାରଣ।

ସବୁଠାରୁ ଚିନ୍ତାଜନକ କଥା ହେଉଛି, ଇଣ୍ଡୋନେସିଆର କେତେକ ଅଞ୍ଚଳରେ ପିଟ୍‌ ମାଟିରେ ମଧ୍ୟ ନିଆଁ ଲାଗିଛି। ଏହି ମାଟିରେ ପୁରୁଣା ଗଛଲତାର ଅବଶେଷ ଜମା ହୋଇ ରହିଥାଏ। ଶୁଖିଲା ପାଗରେ ଏହା ନିଆଁ ପାଇଁ ଇନ୍ଧନ ପାଲଟିଥାଏ। ନିଆଁ କେବଳ ଭୂପୃଷ୍ଠରେ ସୀମିତ ରହେ ନାହିଁ, ମାଟି ତଳେ ମଧ୍ୟ ଧୀରେ ଧୀରେ ଜଳି ଚାଲିପାରେ। ଫଳରେ ବାହାରୁ ନିଆଁ ଲିଭିଯାଇଥିବା ପରି ଦେଖାଗଲେ ମଧ୍ୟ ଭିତରେ ଅଙ୍ଗାର ରହି ପୁଣି ନିଆଁ ବ୍ୟାପିବାର ଆଶଙ୍କା ରହିଥାଏ।

ଜଙ୍ଗଲ ନିଆଁର ଧୂଆଁ କେବଳ ପରିବେଶକୁ ନୁହେଁ, ମଣିଷର ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ଏହି ଧୂଆଁରେ ରହିଥାଏ PM2.5 ଭଳି ଅତି ସୂକ୍ଷ୍ମ କଣିକା, ଯାହା ନିଶ୍ୱାସ ସହ ଫୁସ୍‌ଫୁସ୍‌ ଭିତରକୁ ପ୍ରବେଶ କରିପାରେ। ଏହାଦ୍ୱାରା କାଶ, ଗଳାରେ ଜ୍ୱଳନ ଓ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇପାରେ। ଅନ୍ୟପଟେ ନିଆଁରେ ଜଳିଯାଉଛି ଜଙ୍ଗଲର ସବୁଜିମା, ବିପଦରେ ପଡ଼ୁଛନ୍ତି ଓରାଙ୍ଗଉଟାନ୍‌ ଭଳି ବନ୍ୟଜନ୍ତୁ। ବାସସ୍ଥାନ ଓ ଖାଦ୍ୟ ହରାଇ ସେମାନଙ୍କ ଅସ୍ତିତ୍ୱ ଉପରେ ମଧ୍ୟ ସଙ୍କଟ ଘନେଇବାରେ ଲାଗିଛି।

ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଛନ୍ତି ବହୁ ସଂଖ୍ୟାରେ ଅଗ୍ନିଶମ କର୍ମଚାରୀ। ହେଲିକପ୍ଟର ଓ ବିମାନରୁ ପାଣି ବର୍ଷା କରି ନିଆଁ ଲିଭାଇବାକୁ ଚାଲିଛି ଜୋରଦାର ପ୍ରୟାସ। ତେବେ ଏଭଳି ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଜଙ୍ଗଲ ଉପରେ ନିୟମିତ ନଜର ରଖିବା, ବେଆଇନ ଭାବେ ନିଆଁ ଲଗାଇବାକୁ ରୋକିବା ଏବଂ ଶୁଖିଲା ଋତୁ ପୂର୍ବରୁ ଆଗୁଆ ପ୍ରସ୍ତୁତି କରିବା ଜରୁରୀ। କାରଣ ଜଙ୍ଗଲ ଜଳିଲେ କେବଳ ଗଛ ନୁହେଁ, ବିପଦରେ ପଡ଼େ ଜୈବ ବିବିଧତା, ମଣିଷର ସ୍ୱାସ୍ଥ୍ୟ ଓ ପ୍ରକୃତିର ସନ୍ତୁଳନ।