Live Tv

Live Tv

୫୦୦ କୋଟିର ଗୋଳାବାରୁଦ ଚୁକ୍ତିରେ ଅନିୟମିତତା, MILର ଅଧିକାରୀ ଅନିଲ କୁମାର ଗିରଫ

 arrest

ଭୁବନେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଲାଞ୍ଚ କାରବାର ଅଭିଯୋଗ । ୫୦୦ କୋଟିର ପ୍ରତିରକ୍ଷା ଚୁକ୍ତିରେ ଲାଞ୍ଚ କାରବାର ଅଭିଯୋଗରେ ଗିରଫ ଅଧିକାରୀଙ୍କ ସମସ୍ତ ସାମ୍ପ୍ରତିକ ଚୁକ୍ତିର ଯାଞ୍ଚ କରିବ ସିବିଆଇ । ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ସଂସ୍ଥା ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାରଙ୍କ ଗିରଫଦାରୀ ପରେ ସିବିଆଇ ତଦନ୍ତର ପରିସର ବଢ଼ାଇବାକୁ ଯାଉଛି । ଅନିଲ କୁମାରଙ୍କ ଦ୍ୱାରା ନିକଟ ଅତୀତରେ ପରିଚାଳିତ ଓ ପ୍ରଦାନ କରାଯାଇଥିବା ସମସ୍ତ ପ୍ରତିରକ୍ଷା ଚୁକ୍ତିର ଯାଞ୍ଚ କରାଯିବ । ଘରୋଇ ଠିକାଦାର ଓ ଯୋଗାଣକାରୀ ସଂସ୍ଥାଗୁଡ଼ିକୁ ଅନୁଚିତ ସୁବିଧା ଦେବା ବଦଳରେ ଲାଞ୍ଚ ନେବା ଏବଂ ପ୍ରତିରକ୍ଷା ଉତ୍ପାଦନ ଓ କ୍ରୟ ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପ୍ରଘଟ କରିବା ଭଳି ଗୁରୁତର ଅଭିଯୋଗ ତାଙ୍କ ବିରୋଧରେ ରହିଛି ।

ତଦନ୍ତକାରୀ ଅଧିକାରୀମାନେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ୍ କର୍ତ୍ତୃପକ୍ଷଙ୍କଠାରୁ ଅନିଲ କୁମାରଙ୍କ ସହ ସମ୍ପୃକ୍ତ ଚୁକ୍ତି ଓ କ୍ରୟ ଫାଇଲ୍ ମାଗିବେ। ଏହାଦ୍ୱାରା କ୍ରୟ ନିଷ୍ପତ୍ତି, ଘରୋଇ ଯୋଗାଣକାରୀ ଏବଂ ଅର୍ଥ କାରବାର ମଧ୍ୟରେ କୌଣସି ଅବୈଧ ସମ୍ପର୍କ ରହିଛି କି ନାହିଁ ? ତାହା ଯାଞ୍ଚ କରାଯିବ । ସିବିଆଇର ତଦନ୍ତ ଅନୁଯାୟୀ, ପ୍ରାୟ ୫୦୦ କୋଟି ଟଙ୍କାର ଏକ ଗୋଳାବାରୁଦ ଯୋଗାଣ ଚୁକ୍ତିରେ SMPP ଲିମିଟେଡ୍ କୁ ଅନୁଚିତ ଲାଭ ପହଞ୍ଚାଇବା ବଦଳରେ ଲାଞ୍ଚ କାରବାର ହୋଇଥିବା ସନ୍ଦେହ କରାଯାଉଛି। ଅନିଲ କୁମାରଙ୍କ ପୁଣେ ସ୍ଥିତ ବାସଭବନକୁ ହୱାଲା ମାଧ୍ୟମରେ ବିପୁଳ ପରିମାଣର ନଗଦ ଟଙ୍କା ପହଞ୍ଚାଯାଉଥିବା ନେଇ ସିବିଆଇକୁ ସୂଚନା ମିଳିଥିଲା ।

ଏହାପରେ ଚଢ଼ାଉ କରାଯାଇ ତାଙ୍କୁ ଗତ ବୁଧବାର ଗିରଫ କରାଯାଇଥିଲା। ଅନିଲ କୁମାରଙ୍କ ଠିକଣାରୁ ୧ କୋଟି ୭୩ ଲକ୍ଷ ଟଙ୍କା ନଗଦ ଜବତ କରିଛି ସିବିଆଇ । ଏହା ସହିତ ମହୀଶୂର, ବେଙ୍ଗାଲୁରୁ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଉ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ମାମଲାରେ SMPP ଲିମିଟେଡ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ କଂସଲ ଏବଂ ଅନିଲ କୁମାରଙ୍କ ଭାଇ ବି. ହର୍ଷବର୍ଦ୍ଧନଙ୍କୁ ମଧ୍ୟ ଗିରଫ କରାଯାଇଛି । ପ୍ରତିରକ୍ଷା ଉତ୍ପାଦନ, ଗୋଳାବାରୁଦ କ୍ରୟ ଏବଂ ଅନ୍ୟାନ୍ୟ ରଣନୀତିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପର୍କିତ ଗୋପନୀୟ ତଥ୍ୟ ଘରୋଇ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ଅଭିଯୋଗର ମଧ୍ୟ ତଦନ୍ତ ଚାଲିଛି । ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଅପରାଧିକ ଷଡ଼ଯନ୍ତ୍ର ଏବଂ ଦୁର୍ନୀତି ନିବାରଣ ଆଇନର ସମ୍ପୃକ୍ତ ଧାରା ଲାଗୁ କରାଯାଇଛି ।